ଗୋମାଂସ ଚାଲାଣ ସନ୍ଦେହରେ ୫ ଜଣଙ୍କୁ ମାଡ଼

ଫରିଦାବାଦ୍‌ : ଗୋ ସୁରକ୍ଷା ନାଁରେ ଦିନକୁ ଦିନ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଆଜି ହରିୟାଣାର ଫରିଦାବାଦ୍‌ରେ ୫ ଜଣଙ୍କୁ ଗୋମାଂସ ନେଉଥିବା ଅଭିଯୋଗରେ ପାଖାପାଖି ଶତାଧିକ ବିଶୃଙ୍ଖଳିତ ଜନତା ନିସ୍ତୁକ ପିଟିଛନ୍ତି।
ପୁଲିସ ସୂଚନାନୁଯାୟୀ, ଫରିଦାବାଦ୍‌ର ଗୋସି ଗ୍ରାମ ନିକଟରେ ଏକ ଅଟୋ ରିକ୍ସାରେ ୪ ଜଣ ଗୋମାଂସ ନେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଫଳରେ ସେମାନେ ଅଟୋକୁ ଅଟକାଇ ଅଟୋ ଚାଳକ ସମେତ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ନିସ୍ତୁକ ପିଟିଥିଲେ। ଏପରିକି ଆକ୍ରମଣକାରୀମାନେ ସମ୍ପୂର୍ଣ୍ଣ ଘଟଣାଟିକୁ ମୋବାଇଲ ଫୋନ୍‌ରେ ରେକର୍ଡ କରିଥିଲେ। ଆହତ ୫ ଜଣଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି। ସଂପୃକ୍ତ ଭିଡିଓ କ୍ଲିପ୍‌ ଆଧାରରେ ଆକ୍ରମଣକାରୀଙ୍କୁ ଧରିବାପାଇଁ ଚେଷ୍ଟା ଚାଲିଛି ବୋଲି ମୁଜେସର ଥାନାଧିକାରୀ ବିନୋଦ କୁମାର କହିଛନ୍ତି। ଏହି ଘଟଣାରେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଆହତମାନଙ୍କ ଏତଲାକୁ ଭିତ୍ତି କରି ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି। ଅନ୍ୟପକ୍ଷରେ, ହରିୟାଣାରେ ଗୋହତ୍ୟା ଏକ ଅପରାଧ ହୋଇଥିବାରୁ ସଂପୃକ୍ତ ୫ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ସହ ଜବତ ମାଂସର ନମୁନାକୁ ଫରେନ୍ସିକ୍‌ ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର