‘ମୁଁ ଏକ ଅଖଜ ବିମାନର ଉଡ଼ାଣରେ ଯାଉଛି’; ଦୁର୍ଘଟଣାରେ ମୁତ୍ୟୁବରଣ କରିବା ପୂର୍ବରୁ ବାପାଙ୍କୁ ଫୋନ୍ରେ କହିଥିଲେ ମେଣ୍ଟେନାନ୍ସ ଇଞ୍ଜିନିୟର ସୁରଭି ଗୁପ୍ତା
ମୁମ୍ବାଇ: ମୁମ୍ବାଇର ସହରତଳି ଅଞ୍ଚଳ ଘାଟକୋପରରେ ଗତକାଲି (ଗୁରୁବାର) ଘଟିଥିବା ବିମାନ ଦୁର୍ଘଟଣାରେ ମୁତ୍ୟୁବରଣ କରିଥିବା ମୃତକମାନଙ୍କ ମଧ୍ୟରେ ଅଛନ୍ତି, ମେଣ୍ଟେନାନ୍ସ ଇଞ୍ଜିନିୟର ସୁରଭି ଗୁପ୍ତା। ତେବେ, ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଅଖଜ ଥିବା (ସିକ୍ ଏୟାରକ୍ରାଫ୍ଟ) ଏବଂ ଉଡ଼ାଣ ପାଇଁ ଏହା ଆଦୌ ନିରାପଦ ନଥିବା ସେ ପୂର୍ବରୁ ଜାଣିଥିଲେ। ଏସଂପର୍କରେ ସେ ସୋନ୍ପତ୍ରେ ରହୁଥିବା ତାଙ୍କ ପିତାଙ୍କୁ ମଧ୍ୟ ଫୋନ୍ରେ ଜଣାଇଥିବା ସୁରଭିଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶର ସୋନ୍ପତରେ ରହୁଥିବା ସୁରଭିଙ୍କ ପିତା କହିଛନ୍ତି ଯେ ପ୍ରତ୍ୟେକ ଦିନ ରାତିରେ ସୁରଭି ମୁମ୍ବାଇରୁ ଫୋନ୍ କରି ତାଙ୍କ ସହ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ କଥା ହୁଅନ୍ତି। ତେବେ, କୌଣସି କାରଣରୁ ସେ ବୁଧବାର ରାତିରେ ଫୋନ୍ କରି ପାରି ନଥିବାରୁ ଗୁରୁବାର ସକାଳେ ଫୋନ୍ କରିଥିଲେ। ଫୋନ୍ରେ ସେ ମୋତେ କହିଥିଲା ଯେ ଆଜି ସେ ଏକ ଅଖଜ (ସିକ୍ ଏୟାରକ୍ରାଫ୍ଟ) ବିମାନରେ ଉଡ଼ାଣ ଭରିବା ପାଇଁ ଯାଉଛି। ସୁରଭି ଠାରୁ ଏକଥା ଶୁଣିବା ପରେ ମୁଁ ତାକୁ ପଚାରିଥିଲି ବିମାନଟି ଯଦି ଅଖଜ (ସିକ୍ ଏୟାରକ୍ରାଫ୍ଟ) ଅଛି, ତେବେ ତାକୁ ଉଡ଼ାଣ ପାଇଁ କିଏ ଅନୁମତି ଦେଉଛି? ତେବେ, ସୁରଭି ତରତରରେ ଥିବାରୁ ମୋତେ ଆଉ କିଛି ନକହି ରାତିରେ ଫେରିଲେ କଥାହେବା ବୋଲି କହି ଫୋନ୍ କାଟି ଦେଇଥିଲା। ମାତ୍ର, ସୁରଭି ଏବେ ଆଉ ମୋତେ କେବେ ବି ଫୋନ୍ କରି ପାରିବ ନାହିଁ; କିମ୍ବା ଜଣାଇ ପାରିବ ନାହିଁ ବିମାନଟିକୁ ଉଡ଼ାଣ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା। ତେଣୁ, ଏସଂପର୍କରେ ଏ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ଅଖଜ ବିମାନକୁ ଉଡ଼ାଣ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା, ତାକୁ ଖୋଜି ବାହାର କରାଯାଉ ବୋଲି ଦାବି କରିଛନ୍ତି ସୁରଭିଙ୍କ ପିତା ଏସ୍ ପି ଗୁପ୍ତା।
ସୁରଭିଙ୍କ ବିବାହ ଗତବର୍ଷ ହୋଇଥିଲା। ସୁରଭିଙ୍କ ସ୍ୱାମୀ ମଧ୍ୟ ଜଣେ ପାଇଲଟ୍। ଜଣେ କୁଶଳୀ ଫ୍ଲାଇଟ୍ ଇଞ୍ଜିନିୟର ଭାବେ ସୁରଭିଙ୍କୁ ନିକଟରେ ମହାରାଷ୍ଟ୍ର ସରକାର ପୁରସ୍କୃତ କରିଥିଲେ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ କାଲି ଏକ ପରୀକ୍ଷାମୂଳକ ଉଡ଼ାଣରେ ଏହି ବିମାନଟିକୁ ମୁମ୍ବାଇରୁ ଜୁହୁ ଏୟାରଷ୍ଟ୍ରିପ୍କୁ ନିଆ ଯାଉଥିବା ବେଳେ ଜୁହୁ ଏୟାରଷ୍ଟ୍ରିପ୍ ଠାରୁ ୪ ମାଇଲ୍ ଦୂରରେ ଘାଟକୋପର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର ସୁରଭଙ୍କ ସମେତ ବିମାନର ପାଇଲଟ୍ କ୍ୟାପ୍ଟେନ୍ ପିଏସ୍ ରାଜପୁତ୍, କୋ- ପାଇଲଟ୍ ମାରିଆ ଜୁବେରି, ଏବଂ ଏୟାରକ୍ରାଫ୍ଟ ଟେକ୍ନିସିଆନ୍ ମନିଷ ପାଣ୍ଡେଙ୍କ ମୁତ୍ୟୁ ଘଟିଥିଲା। ଏମାନଙ୍କ ବ୍ୟତୀତ ଜଣେ ସାଧାରଣ ଲୋକ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।