ଦେଶର ୯ଟି ରାଜ୍ୟରେ ମଙ୍ଗଳବାର ହୋଇପାରେ ଭୟଙ୍କର ଘୂର୍ଣ୍ଣିଝଡ଼: ସତର୍କ ସୂଚନା ଜାରିକଲା ଭାରତୀୟ ପାଣିପାଗ ବିଭାଗ

ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ବହିପାରେ ପବନ

ନୂଆଦିଲ୍ଲୀ: ଆସନ୍ତା କାଲି (ମଙ୍ଗଳବାର) ଦେଶର ଜମ୍ମୁ- କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ସିକିମ୍‌ ଓ ପଶ୍ଚିମବଙ୍ଗ ପ୍ରଭୃତି ଦେଶର ୯ଟି ରାଜ୍ୟର ବ୍ୟାପକ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ରାତି ଆଠଟା ସମୟରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଘୂର୍ଣ୍ଣଝଡ଼ ସମୟରେ ଏହି ସମସ୍ତ ରାଜ୍ୟରେ ଘଣ୍ଟାପ୍ରତି ୫୦ରୁ ୭୦ ବେଗରେ ପବନ ବହିବ ବୋଲି ମଧ୍ୟ ଜାରି ସତର୍କ ସୂଚନାରେ କହିଛି ଆଇଏମ୍‌ଡି। ଏହି ଘୂର୍ଣ୍ଣିଝଡ଼ ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବ୍ୟାପକ ବିଜୁଳି ଓ ଘଡ଼ଘଡ଼ି ମାରିବାର ମଧ୍ୟ ସମ୍ଭାବନା ରହିଛି ବୋଲି ସଂପୃକ୍ତ ରାଜ୍ୟର ରାଜ୍ୟ ସରକାରମାନଙ୍କୁ ଆଗୁଆ ସତର୍କ କରାଇ ଦେଇଛି ଆଇଏମ୍‌ଡି। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ମଧ୍ୟ ସମ୍ଭାବନା ରହିଛି।

ଜମ୍ମୁ- କଶ୍ମୀର ଓ ହମାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା ପାଗରେ ପରିବର୍ତ୍ତନ ଏବଂ ଉତ୍ତରପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ହରୟାଣା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପରିପ୍ରେକ୍ଷୀରେ ପାଗରେ ଏପରି ପରିବର୍ତ୍ତନ ଘଟୁଥିବା କହିଛନ୍ତି ଆଇଏମ୍‌ଡି ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ସମ୍ବନ୍ଧିତ ଖବର