ପାଣିପାଗ ବିଭାଗର ପୂର୍ବାନୁମାନ : ମେ ଶେଷ ସପ୍ତାହରେ କେରଳ ଛୁଇଁବ ମୌସୁମୀ, ଏବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ: ଆମ ଦେଶର ଜନତାଙ୍କ ପାଇଁ ଏକ ଶୁଭ ଖବର । ଏବର୍ଷ ଦେଶର ମୌସୁମୀ ପ୍ରବାହ ସ୍ୱାଭାବିକ ରହିବ । ଏକଥା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗର ମହା ନିର୍ଦ୍ଦେଶକ କେ.ଜେ. ରମେଶ କହିଛନ୍ତି ଯେ ଏବର୍ଷ ଦେଶରେ ମୌସୁମୀ ପ୍ରବାହ ୯୭ ପ୍ରତିଶତ (+/-5%) ରହିବ । ଦେଶର ହାରାହାରି ମୌସୁମୀ ବୃଷ୍ଟିପାତ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ । ୧୦୪ରୁ ୧୧୦ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି କୁହାଯାଏ । ୧୧୦ ପ୍ରତିଶତ ଉପରେ ହେଲେ ତାହାକୁ ଅତିବୃଷ୍ଟି ବୋଲି କୁହାଯାଏ । କିଛିଦିନ ପୂର୍ବେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ ମଧ୍ୟ ସମାନ ପୂର୍ବାନୁମାନ କରିଥିଲା ।

 

ଭାରତୀୟ ଅର୍ଥନୀତି, ରାଜନୀତି ଉପରେ ଏକ ବଡ଼ ପ୍ରଭାବ ଥାଏ ମୌସୁମୀ ପ୍ରବାହର । ଅର୍ଥାତ୍‌ ଦେଶରେ ଭଲ ବର୍ଷା ହେଲେ କୃଷି ଉତ୍ପାଦନ ବଢିବ, ଏହା ଦ୍ୱାରା ଦେଶର କୃଷି ଓ ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧି ହାସଲ କରିବ । ଏପରି ହେଲେ ସରକାରଙ୍କ ପାଇଁ ଏହା ଏକ ଶୁଭ ସୂଚନା । ବର୍ଷ ଶେଷକୁ ରାଜସ୍ତାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର ବୋଲି କୁହାଯାଇପାରେ ।

ସମ୍ବନ୍ଧିତ ଖବର