ପ୍ରଧାନ ବିଚାରପତିଙ୍କୁ ବିରୋଧ : ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଜି କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦର ଦୁରୁପଯୋଗ ଅଭିଯୋଗ ଆଣି କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ଆବାହକତ୍ୱରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଆଜାଦଙ୍କ ନେତୃତ୍ୱରେ ୭ଟି ଦଳର ପ୍ରତିନିଧି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁଙ୍କୁ ତାଙ୍କ ବାସଭବନରେ ଭେଟି ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ନୋଟିସ୍‌ ଦେଇଥିଲେ। ଉପରାଷ୍ଟ୍ରପତି ଏହି ନୋଟିସ୍‌ରେ ଆସିଥିବା ଅଭିଯୋଗର ସତ୍ୟତା ଥିବା ଅନୁଭବ କଲେ ଏକ ସ୍ୱତନ୍ତ୍ର କମିଟି ଗଠନ କରି ଏହି ପ୍ରସଙ୍ଗରେ ବିଚାର କରିବେ। ନଚେତ ଏହି ପ୍ରସ୍ତାବକୁ ଖାରଜ କରିଦେବାର ମଧ୍ୟ ତାଙ୍କ ନିକଟରେ ସାମ୍ବିଧାନିକ ଅଧିକାର ରହିଛି।

ନୋଟିସ୍‌ରେ ରାଜ୍ୟସଭାର ୬୪ଜଣ ସାଂସଦଙ୍କ ସ୍ୱାକ୍ଷର ରହିଛି। କଂଗ୍ରେସ ସମେତ ସିପିଆଇ, ସିପିଏମ୍‌, ଏନ୍‌ସିପି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଇଣ୍ଡିଆନ୍‌ ୟୁନିଅନ୍‌ ମୁସ୍‌ଲିମ୍‌ ଲିଗ୍‌ ମହାଭିଯୋଗ ପ୍ରସ୍ତାବରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ଏହି ପ୍ରକ୍ରିୟାରେ ଟିଏମ୍‌୍‌ସି ଏବଂ ଡିଏମ୍‌୍‌କେ ସାମିଲ ହୋଇନାହାନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ୪ଜଣ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହିି ପ୍ରସ୍ତାବରେ ସ୍ୱାକ୍ଷର କରିନାହାନ୍ତି। ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ସ୍ୱତନ୍ତ୍ର ଯାଞ୍ଚ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବାର ଦିନକ ପରେ ଏହି ମହାଭିଯୋଗ ନୋଟିସ୍‌ ଆସିଛି। ଏହି ମାମଲାରେ ସୁପ୍ରିମକୋର୍ଟ ଦୋଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ଆଜି ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଗୁଲାମନବୀ ଆଲୋଚନା କରିଥିଲେ। ତେବେ ଆଜି ପର୍ଯ୍ୟନ୍ତ ଦେଶର କୌଣସି ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ କାର୍ଯକାରୀ ହୋଇନାହିଁ। ଏହି ମହାଭିଯୋଗ ପରେ ନ୍ୟାୟପାଳିକାକୁ ନେଇ କଂଗ୍ରେସ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି।

ଉପରାଷ୍ଟ୍ରପତିଙ୍କୁ ଭେଟି ପ୍ରସ୍ତାବ ଦେବା ପରେ ବିରୋଧୀ ଦଳ ନେତା (ରାଜ୍ୟସଭା) ଗୁଲାମନବୀ ଆଜାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଅତି କମ୍‌ରେ ୫୦ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ ହେଉଥିବା ବେଳେ ତାଙ୍କ ନିକଟରେ ୬୪ ଜଣ ସାଂସଦଙ୍କ ସହମତି ରହିଛି। ଏତଦ୍‌ବ୍ୟତୀତ ଅବସର ଗ୍ରହଣ କରିଥିବା ଅତିରିକ୍ତ ୭ଜଣ ସାଂସଦଙ୍କର ସ୍ୱାକ୍ଷର ମଧ୍ୟ ଏହି ଆବେଦନରେ ରହିଥିବା ସେ କହିଛନ୍ତି। ପ୍ରଧାନ ବିଚାରପତି ପଦ ଗ୍ରହଣ କରିବା ଦିନଠାରୁ ହିଁ ଦୀପକ ମିଶ୍ର ବିଭିନ୍ନ ରାୟ ଓ ମାମଲା ଆବଣ୍ଟନକୁ ନେଇ ବିବାଦ ଘେରକୁ ଆସିଥିବା କଂଗ୍ରେସ ନେତା କପିଲ ସିବଲ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦେଶର ନ୍ୟାୟପାଳିକାର ମୁଖ୍ୟ ହୋଇଥିବା ବେଳେ ସେ ନିଜେ ଏଭଳି ବିବାଦ ଘେରକୁ ଆସିବା ବିପଜ୍ଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର