ଭାରତ ଉପରେ କଟକଣା ଲଗାଇଲେ, ଆମେରିକାର ସ୍ୱାର୍ଥହାନୀ ହେବ : ମାର୍କିନ ପ୍ରତିରକ୍ଷା ସଚିବ

ଓ୍ଵାସିଂଟନ : ଭାରତ ଋଷିଆଠାରୁ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ କିଣିବାକୁ ଯୋଜନା କରୁଛି । କିନ୍ତୁ ଆମେରିକାର ଏକ ନୂଆ ଆଇନ ଅନୁସାରେ ଭାରତ ଏହା କିଣିଲେ ଆମେରିକା ଭାରତ ଉପରେ କଟକଣା ଲଗାଇବ । କିନ୍ତୁ ଭାରତ ଉପରେ କଟକଣା ଲଗାଇଲେ ତାହା କେବଳ ଭାରତ ନୁହେଁ ଆମେରିକାର ସ୍ୱାର୍ଥହାନୀ କରିବ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମ୍ୟାଟିସ୍‌ କହିଛନ୍ତି । ସେ କହିଛନ୍ତି ଯେ ଆମେରିକା କଂଗ୍ରେସ ଭାରତ ପାଇଁ କୋହଳ ମନୋଭାବ ପୋଷଣ କରିବା ଉଚିତ । କାରଣ ଭାରତର ସ୍ୱାର୍ଥ ସହ ଆମେରିକା ଜଡିତ ।

ମ୍ୟାଟିସଙ୍କ ଏହି ବକ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି । କାରଣ ଋଷିଆ ସହ ଯେଉଁ ଦେଶମାନେ ସାମରିକ ସଂପର୍କ ରଖିଛନ୍ତି ବା ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ବିରୋଧରେ ଆମେରିକାର ସିଏଏଟିଏସଏ ଆଇନ ଅନୁସାରେ କଟକଣା ଲଗାଉଛି ଆମେରିକା । କିନ୍ତୁ ଭାରତ ପ୍ରତି କୋହଳତା ପ୍ରଦର୍ଶନ କରୁଛି ଆମେରିକା । କାରଣ ଭାରତ ଅଧିକ ଶକ୍ତିଶାଳୀ ହୋଇ ଚୀନକୁ ଟକ୍କର ଦେବା ଆମେରିକା ଚାହେଁ । ଏଥିପାଇଁ ଆମେରିକା କଂଗ୍ରେସକୁ ପ୍ରବର୍ତ୍ତାଉଛନ୍ତି ଟ୍ରମ୍ପ ସରକାର ।
ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ’ ଆସିବା ପରେ ଭାରତର ଶକ୍ତି ବୃଦ୍ଧି ହେବ । ଏହା ଶତ୍ରୁପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ଋଷିଆ ପୂର୍ବରୁ ଏହାକୁ ଚୀନ ଓ ତୁର୍କୀକୁ ବିକି ସାରିଛି ।

ସମ୍ବନ୍ଧିତ ଖବର