ଆମେରିକା ସାହାଯ୍ୟ ବିନା ବିଗିଡ଼ିଗଲାଣି ପାକିସ୍ତାନର ଆର୍ଥିକ ଅବସ୍ଥା ! ଟ୍ରମ୍ପଙ୍କୁ ମନେଇବାକୁ ଆମେରିକା ଗଲେ ଇମ୍ରାନ ଖାଁ

ଓ୍ଵାସିଂଟନ: ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ସାଉଦି ଆରବ, ୟୁଏଇ,ଚୀନ ପ୍ରଭୃତି ବିଭିନ୍ନ ବନ୍ଧୁରାଷ୍ଟ୍ର ଏବଂ ଆଇଏମଏଫ ପକ୍ଷରୁ ସହାୟତା ସତ୍ତ୍ୱେ ପାକିସ୍ତାନର ଅବସ୍ଥା ସୁଧୁରିବାର ନାଁ ଧରୁନାହିଁ । ପାକିସ୍ତାନର ଅବସ୍ଥା ବିଗିଡ଼ିବାର ଏକ ପ୍ରମୁଖ କାରଣ ହେଉଛି ଆମେରିକାର ଆର୍ଥିକ ସହାୟତା ବନ୍ଦ ହେବା । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ପାକିସ୍ତାନକୁ ସହାୟତା ବନ୍ଦ କରିଦେଇଥିଲେ ।

ଏବେ ଆମେରିକାକୁ ମନେଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜିଠାରୁ ଆମେରିକା ଗସ୍ତରେ ଯାଉଛନ୍ତି । ଟ୍ରମ୍ପଙ୍କୁ ମନେଇ ପୁଣି ଆର୍ଥିକ ସହାୟତା ପାଇବା ଲକ୍ଷ୍ୟରେ ଇମ୍ରାନ ଆମେରିକା ଯାଇଛନ୍ତି । ତେବେ ଆମେରିକା ଏତେ ଶୀଘ୍ର ପାକିସ୍ତାନ ଉପରେ ପ୍ରସନ୍ନ ହେବାର ସମ୍ଭାବନା କମ ବୋଲି କୁହାଯାଉଛି । ଆମେରିକା କଂଗ୍ରେସର ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ କୌଣସି ସହାୟତା ମିଳିବ ନାହିଁ । କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ (ସିଆରଏସ)ର ଏହି ରିପୋର୍ଟରେ କୁହାଯାଇଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ମାନଙ୍କ ପାଇଁ ଏକ ସ୍ୱର୍ଗରେ ପରିଣତ ହୋଇଛି । ଏହି ସଂଗଠନ ମାନଙ୍କୁ ପାକିସ୍ତାନ ସରକାର ସମର୍ଥନ କରୁଥିବା ସାରା ବିଶ୍ୱରେ ବିଶ୍ୱାସ କରାଯାଉଛି । ଏ ପରିପ୍ରେକ୍ଷୀରେ ପାକିସ୍ତାନକୁ ଆମେରିକୀୟ ସହାୟତା ବନ୍ଦ ରହିବ ।

ସମ୍ବନ୍ଧିତ ଖବର