ଖର୍ଚ୍ଚ କାଟ କରିବାକୁ ଲମ୍ବା ଭାଷଣ ଦେଇ ଏବେ ନିଜ ଘରୁ ପ୍ରଧାନମନ୍ତ୍ରୀ ଆବାସ ଯାଏ ହେଲିକପ୍ଟରରେ ସସ୍ତ୍ରୀକ ଯାଉଛନ୍ତି ଇମ୍ରାନ

ନୂଆଦିଲ୍ଲୀ: କିଛି ଦିନ ତଳେ ଖର୍ଚ୍ଚ କାଟ କରିବା ଉପରେ ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ଏବେ ନିଜ ଘରରୁ ପ୍ରଧାନମନ୍ତ୍ରୀ ଆବାସ ଯାଏ ହେଲିକପ୍ଟରରେ ଯିବା ଅାସିବା କରି ବିବାଦର ପରିସରଭୁକ୍ତ ହୋଇଛନ୍ତି ପାକିସ୍ଥାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁସ୍‌ରା ଇମ୍ରାନ ଅଫିସିଆଲ୍‌ ହେଲିକ୍ଟରକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି। ଏ ନେଇ ବିଭିନ୍ନ ଆଡୁ ଇମ୍ରାନ ସମାଲୋଚନାର ପାତ୍ର ହୋଇଛନ୍ତି।

ମାତ୍ର ଇମ୍ରାନଙ୍କୁ ସମର୍ଥନ କରି ପାକିସ୍ତାନ-ତେହେରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ)ର ନେତା ମହମ୍ମଦ ଅଲ୍ଳୀ ଖାନ୍‌ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଏକ ଟୁଇଟ୍‌ କରିଛନ୍ତି, ‘ରାସ୍ତାରେ ଯିବା ଅପେକ୍ଷା ହେଲିକ୍ଟରରେ ଯାଉଥିବା ୩ ମିନିଟ୍‌ର ବାଟ ବେଶ୍‌ ଶସ୍ତା। ଏମିତିରେ ଯଦି ପ୍ରଧାନମନ୍ତ୍ରୀ ରାସ୍ତାରେ ଯାଆନ୍ତି ତେବେ ତାଙ୍କ ଗାଡ଼ିକୁ ମିଶାଇ ସୁରକ୍ଷାକର୍ମୀଙ୍କ ଗାଡ଼ି ଆଦି ସମୁଦାୟ ୫ରୁ ୭ଟି ଗାଡ଼ି ଯିବାକୁ ପଡ଼ିବ; ଯାହାକି ହେଲିକପ୍ଟର ଅପେକ୍ଷା ମହଙ୍ଗା। ଦ୍ୱିତୀୟ କଥାଟି ହେଉଛି ହେଲିକପ୍ଟରେ ଯିବାଆସିବା କରିବା ବେଶି ସୁରକ୍ଷିତ। ତୃତୀୟଟି ହେଉଛି ପ୍ରଧାନମନ୍ତ୍ରୀ ଯାଉଛନ୍ତି ବୋଲି ଟ୍ରାଫିକ୍‌ରେ ବି ଭିଡ଼ ଜମିବ ନାହିଁ।’

ଉଲ୍ଲେଖଯୋଗ୍ୟ, ନିକଟରେ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଫାଷ୍ଟ କ୍ଲାସ୍‌ ବିମାନ ଯାତ୍ରା କରିପାରିବେ ନାହିଁ ବୋଲି ଇମ୍ରାନ ଖାନ ଘୋଷଣା କରିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜର ପ୍ରଥମ ଭାଷଣରେ କହିଥିଲେ କି ତାଙ୍କ ସକାଶେ ନିୟୋଜିତ ହେବାକୁ ଥିବା ୫୨୪ ଜଣ ଚାକରବାକର ତାଙ୍କର ଦରକାର ନାହିଁ। ପ୍ରଧାନମନ୍ତ୍ରୀ ଆବାସରେ ସେ କେବଳ ୨ ଜଣ ଗୃହ ସହାୟକଙ୍କୁ ଚାହାନ୍ତି ବୋଲି ନିଜର ପ୍ରଥମ ଭାଷଣରେ କହିଥିଲେ। ସରକାରୀ ଖର୍ଚ୍ଚ କାଟ୍‌ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ। ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ସକାଶେ ୮୦ଟି ଗାଡ଼ି ରହିଥିବା ବେଳେ ସେ ମାତ୍ର ୨ଟି ବ୍ୟବହାର କରିବେ ବୋଲି ପ୍ରକାଶ କରିଥିଲେ। ସେ ଆରାମଦାୟକ ପ୍ରଧାନମନ୍ତ୍ରୀ ଗୃହରେ ରହିବେ ନାହିଁ, ବରଂ ମିଲିଟାରି ସେକ୍ରେଟେରିର ୩ ବଖରା ବିଶିଷ୍ଟ ବାସଭବନରେ ରହିବେ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର