ଇମ୍ରାନ୍‌ଙ୍କ ସମ୍ମୁଖରେ ୫ ବଡ଼ ଚ୍ୟାଲେଂଜ

ସ୍ୱାଧୀନ ନିଷ୍ପତ୍ତି ନେବାରେ ସେନା ବଡ଼ ବାଧକ

ଇସ୍‌ଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱରେ ଆଜି ପାକିସ୍ତାନର ନୂଆ ସରକାର ଗଠନ ହୋଇଛି। ଏବେ ଏହି ସରକାରଙ୍କୁ ଏବେ ୫ଟି ବଡ଼ ଚ୍ୟାଲେଂଜର ସମ୍ମୁଖୀନ ହେବାକୁ ପଡ଼ିବ।

ଅର୍ଥନୀତି: ପାକିସ୍ତାନର ଅର୍ଥନୀତି ଏବେ ଦିଗହରା ହୋଇଯାଇଛି। ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ପାଇଁ ଏବେ ଅଧିକ ଋଣ ମିଳିବା କଷ୍ଟକର ହୋଇପଡ଼ିଛି। ଚୀନ୍‌ର ଋଣ ସୁଝିବା ପାଇଁ ଏବେ ପାକିସ୍ତାନ ଆଇଏମ୍‌ଏଫ୍‌୍‌ ନିଷ୍ପତ୍ତିକୁ ଅପେକ୍ଷା କରିଛି। ବିଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ପାଇଁ ଅର୍ଥ ନଥିବାରୁ ପାକିସ୍ତାନ ଚୀନ୍‌ ଉପରେ ଭରସା କରି ସବୁକିଛି ଚଳାଇଛି।

ଆତଙ୍କବାଦ: ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଯାଇଛି ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଏଠାରେ ରହିଛି। ବିଗତ କିଛିବର୍ଷ ମଧ୍ୟରେ ପାକିସ୍ତାନ ସେନା ଆଫ୍‌ଗାନ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଚଢ଼ଉ କରିଥିଲେ ମଧ୍ୟ ଲସ୍କର ଓ ଜୈଶ ଭଳି ସଂଗଠନଗୁଡ଼ିକ ବିରୋଧରେ କୌଣସି ପଦକ୍ଷେପ ନେଉନାହିଁ। ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ନୂଆ ସରକାର ଆତଙ୍କବାଦୀଙ୍କୁ ଦମନ ଦିଗରେ ପଦକ୍ଷେପ ନନେଲେ ଏହା ବିଶ୍ୱ ସମୁଦାୟରେ ଏକଘରିଆ ହୋଇଯିବ ବୋଲି କୁହାଯାଉଛି ।

ଜନସଂଖ୍ୟା ବୃଦ୍ଧି: ରକ୍ଷଣଶୀଳ ରାଷ୍ଟ୍ର ପାକିସ୍ତାନରେ ପରିବାର ନିୟୋଜନ ଯୋଜନା ସଫଳ ହେଉନାହିଁ। ଏସିଆରେ ପାକିସ୍ତାନ ଜନ୍ମହାରରେ ପ୍ରଥମ ସ୍ଥାନରେ ଥିବା ବେଳେ ୧୯୬୦ରୁ ଆଜି ସୁଦ୍ଧା ପାକିସ୍ତାନର ଜନସଂଖ୍ୟାରେ ୫ ଗୁଣ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ଏହା ୨୦ କୋଟି ଟପିଗଲାଣି।

ଜଳ ସଙ୍କଟ: ପାକିସ୍ତାନରେ ଜଳାଭାବଜନିତ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ୨୦୨୫ ସୁଦ୍ଧା ଏଠାରେ ଭୟଙ୍କର ଜଳକଷ୍ଟ ଦେଖାଦେବ। ଏ ବାବଦ ସଙ୍କଟର ମୁକାବିଲା ପାଇଁ ଇମ୍ରାନଙ୍କ ସରକାର ଏବେଠାରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନନେଲେ ସ୍ଥିତି ଅଣାୟତ୍ତ ହୋଇଉଠିବ ବୋଲି ଆଶଙ୍କା କରାଯାଉଛି । ସରକାର-ସେନା ସଂପର୍କ: ପାକିସ୍ତାନ ବିଗତ ୭୧ ବର୍ଷ ମଧ୍ୟରେ ପ୍ରାୟ ଅଧା ସମୟ ସାମରିକ ଶାସନରେ ରହିଥିଲା ଏବଂ ଏବେ ନୂତନ ସରକାର ଉପରେ ସେନାର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି କୁହାଯାଉଛି। ଇମ୍ରାନଙ୍କ ଦଳର ବିଜୟ ପଛରେ ସେନା ଏକ ବଡ଼ ଭୂମିକା ନିର୍ବାହ କରିଥିବାରୁ ସରକାରଙ୍କ ପ୍ରତ୍ୟେକଟି ପଦକ୍ଷେପରେ ସେନା ହସ୍ତକ୍ଷେପ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ଫଳରେ ଭାରତ ସହ ସଂପର୍କ ସୁଧାରିବା ଦିଗରେ ମଧ୍ୟ ଏହି ସରକାର ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ। ଇମ୍ରାନ ଏଭଳି ସ୍ଥିତିର କିଭଳି ମୁକାବିଲା କରିବେ ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ।

ସମ୍ବନ୍ଧିତ ଖବର