ବୁଲାକୁକୁର ପାଳିଥିବା ୧୬ ଓ ୧୭ ବର୍ଷୀୟ ଝିଅଙ୍କୁ କାମୁଡ଼ି ପକାଇଲେ ୨୫ ବର୍ଷିୟ ଯୁବକ

ଅହମଦାବାଦ: ସୋମବାର ସନ୍ଧ୍ୟାରେ ସହରର ଈଶାନପୁର ଅଞ୍ଚଳରେ ବୁଲା କୁକୁରଟିଏ ଭୁକିବା କଥାରୁ ଜଣେ ୨୫ ବର୍ଷିୟ ଯୁବକ ଦୁଇଜଣ ବାଳିକାଙ୍କୁ କାମୁଡ଼ି ପକାଇଛନ୍ତି। ୧୬ ଓ ୧୭ ବର୍ଷର ଏ ଦୁଇ ବାଳିକା ସେ କୁକୁରଟିର ଦେଖାଚାହାଁ କରୁଥିଲେ।

ଈଶାନ୍‌ପୁର ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ଅଭିଯୁକ୍ତ ମହରୁଫ୍‌ଖାଁ ପଠାନ ଅଭିଯୋଗକାରିଣୀ ୫୦ ବର୍ଷୀୟ କୁମରାଜହାଁ ବାନୋ ପଠାନ୍‌ଙ୍କ ଘରକୁ ଧାଇଁ ଯାଇ କହିଲେ କି, କାହିଁ ବାଟୋଇଙ୍କୁ ଭୁକାଭୁକି କରୁଥିବା ସେ ବୁଲା କୁକୁରଟାକୁ ସେମାନେ ଖାଇବାକୁ ଦେଉଛନ୍ତି। ପଠାନ୍‌ ଆହୁରି କହିଲେ କି, ସେ କୁକୁର ତାଙ୍କୁ କାମୁଡ଼ିଛି। ଏଥିରେ ରାଗିଯାଇ କୁମରାଜହାଁ ବାନୋ ତାଙ୍କୁ ଭଦ୍ରାମିରେ କଥାବାର୍ତ୍ତା କରିବାକୁ କହିଲେ। ତାଙ୍କ କଥା ଶୁଣି ମହରଫ୍‌ ବି ଚିଡ଼ିଯାଇ ତାଙ୍କୁ ଗାଳିଗୁଲଜ କଲେ। ଏତିକିବେଳେ ବାନୋଙ୍କର ଦୁଇ ଝିଅ ଆସୁଥିବା ଦେଖି ସେମାନଙ୍କ ଆଡ଼କୁ ଧାଇଁ ଯାଇ ମାରଧର କରିବା ସହ ତାଙ୍କ ହାତକୁ କାମୁଡ଼ି ଖଣ୍ଡିଆ କରି ପକାଇଲେ।

ତୁରନ୍ତ ପଡ଼ୋଶୀମାନେ ଧାଇଁ ଆସି ଦୁଇ ଝିଅ ଏବଂ ବାନୋଙ୍କୁ ମହରୁଫ୍‌ଙ୍କ କବଳରୁ ଉଦ୍ଧାର କରିଥିଲେ।

ମହରୁଫଙ୍କ ବାପା ଜାବେଦଖାଁ ପଠାନ୍‌ ଈଶାନ୍‌ପୁର ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଯେ ଆବାସିକ କଲୋନିରେ ବୁଲାକୁକୁର ପାଳିବା କଥାରେ ଆପତ୍ତି ଉଠାଇବାରୁ କୁମରାଜହାଁ ବାନୁଙ୍କ ପରିବାର ମହରୁଫ୍‌ଙ୍କୁ ଲୁହାଛଡ଼ରେ ପିଟିଥିଲେ।

ପରେ ବାନୋଙ୍କର ଦୁଇ ଝିଅଙ୍କୁ ଡାକ୍ତରଖାନା ନିଆଯାଇ ଥିଲା।

ସମ୍ବନ୍ଧିତ ଖବର