ମାନସିକ ନିର୍ଯାତନା ସହିନପାରି ତାମିଲନାଡ଼ୁର ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା

ଚେନ୍ନାଇ: ଋଣ ସୁଝି ନପାରି ତାମିଲନାଡ଼ୁର ତିରୁନେଲଭେଲିରେ ଗୋଟିଏ ପରିବାରର ୪ ଜଣ ନିଜ ଶରୀରରେ ନିଅାଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ତିରୁନେଲଭେଲି ଜିଲ୍ଲାର ଏସାକିମୁଥୁ ଜଣେ ଦିନ ମଜୁରିଆ। ସେ କିଛି ବର୍ଷ ପୂର୍ବେ ତାଙ୍କର ଜଣେ ସମ୍ପର୍କିୟଙ୍କ ନିକଟକୁ କିଛି ଅର୍ଥ ଧାର ଆକାରରେ ଆଣିଥିଲେ। କିନ୍ତୁ ଏହାକୁ ସୁଝିନପାରିବାକୁ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଏନେଇ ସେ ପୂର୍ବରୁ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଶେଷରେ ନିର୍ଯାତନା ସହିନପାରି ସେ ନିଜ ସହ ପତ୍ନୀ ସୁବୁଲକ୍ଷ୍ମୀ ଏବଂ ଦୁଇ କନ୍ୟାଙ୍କ ଶରୀରରେ କିରୋସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏସାକିମୁଥୁ ତିରୁନେଲଭେଲି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନିଜ ସହ ନିଜ ପରିବାର ସଦସ୍ୟଙ୍କ ଶରୀରରେ ନିଅାଁ ଲଗାଇ ଦେଇଥିଲେ। ତେବେ ନିଅାଁରୁ ସେମାନଙ୍କୁ ଉଦ୍ଧାର କରିବାପାଇଁ ପୁଲିସ ଏବଂ ସ୍ଥାନୀୟ ଲୋକେ ପାଖାପାଖି ୧୫ ମିନିଟ୍‌ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ତିରୁନେଲଭେଲି ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିିଲେ ମଧ୍ୟ ସୁବୁଲକ୍ଷ୍ମୀଙ୍କ ସହ ଦୁଇ କନ୍ୟାଙ୍କ ମୃତ୍ୟୁ ହୋଇଯାଇଛି। ଏସାକିମୁଥୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏସାକିମୁଥୁଙ୍କ ସାନ ଭାଇ ଗୋପିଙ୍କ କହିବା ଅନୁଯାୟୀ ତାଙ୍କ ଭାଇ ଜଣେ ଋଣଦାତାଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ। ଏସାକିମୁଥୁଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କିୟ ମୁଥୁଲକ୍ଷ୍ମୀ କିଛିବର୍ଷ ପୂର୍ବେ ୧.୪୫ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ଗତକିଛି ଦିନ ହେବ ସେ ଏସାକିମୁଥୁଙ୍କଠାରୁ ଏହି ଟଙ୍କାର ସୁଧମୂଳ ସହ ଏହାର ଦ୍ୱିଗୁଣା ଦାବି କରି ଆସୁଥିଲେ। ଏସାକିମୁଥୁ ଏନେଇ ସ୍ଥନୀୟ ପୁଲିସରେ ଏଫଆଇଆର ଦାଏର କରିଥିଲେ ମଧ୍ୟ ପୁଲିସ ତାଙ୍କ ଏଫଆଇଆର ଗ୍ରହଣ କରିନଥିଲେ।

କାରଣ ମୁଥୁଲକ୍ଷ୍ମୀଙ୍କୁ ସେହି ଗ୍ରାମର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସହଯୋଗର ହାତ ବଢାଇଥିବା ଗୋପି ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ ନକରିବା ଫଳରେ ସେ ତିରୁନେଲଭେଲି ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଏ ସଂକ୍ରାନ୍ତରେ ୬ ଥର ଲିଖିତ ଅଭିଯୋଗ କରିଥିଲେ କିନ୍ତୁ କିଛି ଫଳ ମିଳିଲାନି। ଶେଷରେ ମାନସିକ ନିର୍ଯାତନା ସହିନପାରି ଏସାକିମୁ୍‌ଥୁ ଏଭଳି ଭୟଙ୍କର ପଦକ୍ଷେପ ନେଲେ।

ସମ୍ବନ୍ଧିତ ଖବର