ଦିଲ୍ଲୀ: ଭୋଜନାଳୟ ବାହାରେ ଆମିଷ ଖାଦ୍ୟ ପ୍ରଦର୍ଶନ ନିଷିଦ୍ଧ କରିବ ବିଜେପି ଶାସିତ ପୌର ନିଗମ

ଦିଲ୍ଲୀ: ପରିମଳ ଏବଂ ଭାବଗତ କାରରଣରୁ ଖୁବ୍‌ ଶୀଘ୍ର ଦକ୍ଷିଣ ଦିଲ୍ଲୀର ରେସ୍ତୋରାଁ ଏବଂ ଭୋଜନାଳୟ ବାହାରେ ପଡୁଥିବା ଷ୍ଟଲ୍‌ରେ ଆମିଷ ଖାଦ୍ୟ ପ୍ରଦର୍ଶନ ନିଷିଦ୍ଧ କରିବ ପୌର ନିଗମ

ବିଜେପି ଶାସିତ ଦକ୍ଷିଣ ଦିଲ୍ଲୀ ପୌର ନିଗମର ଗତ ଗୃହ ଅଧିବେଶନରେ ଏ ଭଳି ପ୍ରସ୍ତାବନା ଗୃହୀତ ହୋଇଥିଲା। ଏଥି ନିମନ୍ତେ ନୀତି ଓ ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯିବା ପୂର୍ବରୁ ଆସନ୍ତା ଜାନୁଆରି ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଚୂଡ଼ାନ୍ତ ବୈଠକରେ ଏ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

କାଉନ୍‌ସିଲର୍‌ ରାଜ ଦତ୍ତ ଏହି ପ୍ରସ୍ତାବ ଆଗତ କରିଥିବାବେଳେ ନନ୍ଦିନୀ ଶର୍ମା ଏହାକୁ ସମର୍ଥନ କରି କହିଥିଲେ ଯେ ଖୋଲାରେ ପ୍ରଦର୍ଶୀତ ହେଉଥିବା ଖାଦ୍ୟ ସଂକ୍ରମିତି ଏବଂ ନିରାମିଷ ଭୋଜୀ ସର୍ବସାଧାରଣଙ୍କ ଭାବନାକୁ ଆଘାତ ଦେବାର ଭୟ ଅଛି।

ରେସ୍ତୋରାଁ ମାଲିକମାନେ ସର୍ବସାଧାରଣରେ ଆମିଷ ଖାଦ୍ୟ ପ୍ରଦର୍ଶନ କରାଇଲେ ସେମାନଙ୍କ ବିରୋଧରେ ପୌରପାଳିକା ଆଇନ ଅନୁସାରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଛି।

ଆମିଷ ଖାଦ୍ୟ ପରିବେଷଣ କରୁଥିବା ଅନେକ ଜନପ୍ରିୟ ରେସ୍ତୋରାଁ ରୋଷ୍ଟେଡ୍‌ ଚିକେନ୍‌, କେବାବ୍‌ସ୍‌ ଏବଂ ଶୋର୍‌ମା ଆଦି ବାହାରେ ପ୍ରଦର୍ଶନ କରନ୍ତି।

ପ୍ରସ୍ତାବନାକୁ ଅନୁମୋଦନ କରିଥିବା ଗୃହର ନେତ୍ରୀ ଶିଖା ରାୟ କହନ୍ତି ଯେ ପରିମଳ ଏବଂ ନିରାମିଷାହାରୀମାନଙ୍କ ପାଇଁ କାଉନ୍‌ସିଲର୍‌ମାନେ ଚିନ୍ତିତ। ଏହି ପ୍ରସ୍ତାବ ଗୃହର ସ୍ୱାସ୍ଥ୍ୟ କମିଟିର ସଦସ୍ୟମାନେ ଆଗତ କରାଯାଇଛି।

ଦୋକାନ ସାମ୍ନାରେ ଆମିଷ ଆହାର ପ୍ରଦର୍ଶୀତ ହେଉଥିବାରୁ ସେଠାକୁ କୁକୁରମାନେ ଯାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରନ୍ତି।ଏହାଛଡ଼ା ନିରାମିଷ ଭୋଜନ ଖାଉଥିବା ଲୋକଙ୍କ ଭାବନାକୁ ମଧ୍ୟ ଏହା ଆଘାତ ଦେଉଛି।

ସମ୍ବନ୍ଧିତ ଖବର