ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବ। ଚାଲନ୍ତୁ ଜଳ ସଂରକ୍ଷଣ ପାଇଁ କାମ କରିବା। ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ସବୁ ପଦକ୍ଷେପ ଗ୍ରହଣ କରିବା। ଏ କଥା ଆଜି ‘ମନ୍‌କି ବାତ୍‌’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେ ଆହୁରି କହିଛନ୍ତି: ତାମିଲନାଡୁର ମାନରକୋବିଲ୍‌ ହେଉ, ଚିରନ ମହାଦେବୀ ହେଉ, କୋବିପଟ୍ଟି ବା ପୁଦୁକୋଟ୍ଟାଇ ହେଉ, ସେଠାରେ ଶିଳାଲେଖରେ ରହିଛି ଜଳସେଚନ, ଜଳ ସଂରକ୍ଷଣ ଏବଂ ମରୁଡ଼ି ପରିଚାଳନା କଥା। ଗୁଜରାଟର ଅଦାଜଳ ବାମ୍ଫି ତା’ର ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ। ଆମ ପୂର୍ବଜମାନେ ଜଳ ସଂରକ୍ଷଣ କରୁଥିଲେ।

ମନରେଗାର ଅଟକଳ ଜଳ ସଂରକ୍ଷଣ ପାଇଁ ବ୍ୟବହୃତ ହେଉଛି। ୨୦୧୭-୧୮ରେ ଜଳ ସଂରକ୍ଷଣ ବାବଦରେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ୧୫୦ ଲକ୍ଷ ହେକ୍ଟର୍‌ ଜମି ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇଛି।

କାର୍ଯକ୍ରମ ପ୍ରାରମ୍ଭରେ ପ୍ରଧାମନ୍ତ୍ରୀ କହିଲେ: ବିଜୟ ମଞ୍ଚରେ ତ୍ରିରଙ୍ଗ ଆଚ୍ଛାଦିତ ହୋଇ ଆମ ଖେଳାଳିମାନେ ଛିଡ଼ା ହୋଇଥିବା ବେଳର ଅନୁଭୂତିକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମକୁ ଗୌରବାନ୍ଵିତ କରିଥିବା ସୁଟର୍‌ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମର ମହିଳା ଖେଳାଳିମାନେ ମଧ୍ୟ ଭାରତକୁ ଗୌରବାନ୍ଵିତ କରିଛନ୍ତି। ଆମ ଖେଳାଳିମାନେ ଆଶାତୀତ ସଫଳତା ହାସଲ କରି ପଦକ ପରେ ପଦକ ଜିଣି ଚାଲିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଥିଲା ଚମତ୍କାର ପ୍ରଦର୍ଶନ।

ଫିଟ୍‌ ଇଣ୍ଡିଆ ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ମୁଁ ଗତ ମାସରେ ଲୋକଙ୍କୁ କହିଥିଲି। ଏଥି ପ୍ରତି ଅପୂର୍ବ ଜନସମର୍ଥନ ମିଳିଛି। ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ପାଇଁ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାରଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ପୂର୍ଣ୍ଣାଙ୍ଗ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଯୋଗର ଗୁରୁତ୍ୱ ବିଶ୍ୱବ୍ୟାପୀ ଜଣାଶୁଣା। ସୁସ୍ଥ ରହିବା ନିମନ୍ତେ ଯୋଗ ଏକ ଚମତ୍କାର ଉପାୟ। ଜୁନ୍‌ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆପଣମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ପଚାରିଛନ୍ତି ଏଥର ଗ୍ରୀଷ୍ମରେ ଆପଣ କ’ଣ କରିବାକୁ ଯୋଜନା କରିଛନ୍ତି? ଆପଣ କ’ଣ ଆଗ୍ରହୋଦ୍ଦୀପକ ସ୍ୱଚ୍ଛ ଭାରତ ଇଣ୍ଟର୍ଣ୍ଣସିପ୍‌ କଥା ଭାବିଛନ୍ତି? ସ୍ୱଚ୍ଛ ଭାରତ ଗ୍ରୀଷ୍ମ ଇଣ୍ଟର୍ଣ୍ଣସିପ୍‌ରେ ଅଂଶ ଗ୍ରହଣ କରିବାକୁ ଆପଣମାନେ ପ୍ରସ୍ତୁତ କି? ଚାଲନ୍ତୁ ସ୍ୱଚ୍ଛ ଭାରତ ପାଇଁ କିଛି ଅବଦାନ ଦେବା। ‘ସ୍ୱଚ୍ଛ ଭାରତ ସମର୍‌ ଇଣ୍ଟର୍ଣ୍ଣସିପ୍‌’ରେ ଯୋଗ ଦେବା ପାଇଁ ମୁଁ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛି।

ଯେତେବେଳେ ସମୟ ପାଏ ମୁଁ ଦୂରଦର୍ଶନରେ ଗୁଡ୍‌ ନିଉଜ୍‌ ଇଣ୍ଡିଆ ପ୍ରୋଗ୍ରାମ୍‌ ଦେଖେ। ଏହି କାର୍ଯ୍ୟକ୍ରମରେ ସେୟାର ହେଉଥିବା ଖବରଗୁଡ଼ିକ ଅତି ଆଗ୍ରହଉଦ୍ଦୀପକ। ନକାରାତ୍ମକ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଥିବା ସତ୍ତ୍ୱେ ଜଣେ ସକାରାତ୍ମକ ଖବର ଶୁଣିଲେ ତା’ଠାରେ ନୂତନ ଶକ୍ତିର ସଂଚାର ଘଟେ।

ପ୍ରତି ରବିବାର ରାତି ସାଢ଼େ ନଅଟାରେ ଦୂରଦର୍ଶନ ନିଉଜ୍‌ରେ ପ୍ରସାରିତ ଗୁଡ୍‌ ନିଉଜ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ମହତ୍‌ କାର୍ଯ୍ୟରେ ବ୍ୟସ୍ତ ଥିବା କେତେକ ବ୍ୟକ୍ତି ବିଶେଷଙ୍କ ବିଷୟରେ ଖବର ପରିବେଶଣ କରେ।

ପବିତ୍ର ରମଜାନ ମାସ ଉପଲକ୍ଷେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ମହାପୁରୁଷ ମହମ୍ମଦ ସାହେବ ବିଶ୍ୱାସ କରୁଥିଲେ ଯେ ଯଦି ତୁମ ପାଖରେ କିଛି ବହକା ଅଛି ତାହାକୁ ଆପଣ ନିଃଶ୍ୱ ଲୋକମାନଙ୍କୁ ବାଣ୍ଟି ଦିଅନ୍ତୁ। ସେଥିପାଇଁ ରମ୍‌ଜାନ୍‌ରେ ଦାନର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ।
ବୁଦ୍ଧ ପୂର୍ଣ୍ଣିମା ସବୁ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଉତ୍ସବ। ବୌଦ୍ଧବାଦର ପ୍ରଭାବ ସୁଦୂର ପ୍ରସାରୀ। ଭାରତରୁ ବୌଦ୍ଧ ସନ୍ନ୍ୟାସୀମାନେ ଏସିଆର ବିଭିନ୍ନ ଅଞ୍ଚଳକୁ ଯାଇ ଭଗବାନ ବୁଦ୍ଧଙ୍କର ବାଣୀ ପ୍ରଚାର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଦିଲ୍ଲୀର ଦ୍ୱାରକା ଅନ୍ତର୍ଗତ ସେକ୍ଟର୍‌ ୨୬ ଠାରେ ଥିବା ପୂର୍ବତନ ନିଗମ ପରିଷଦ୍‌, ରାମନିବାସରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କି ବାତ୍‌’ର ୪୩ତମ ସଂସ୍କରଣରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍‌ ଏବଂ ଭର୍ତାଲ୍‌ ଗ୍ରାମବାସୀ।

ସମ୍ବନ୍ଧିତ ଖବର