ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ‘ନିଷ୍କ୍ରିୟ ମୃତ୍ୟୁ’ ଓ ‘ଜୀବିତ ଇଚ୍ଛାପତ୍ର’କୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସୁପ୍ରିମ୍‌ କୋର୍ଟ ଆଜି ‘ନିଷ୍କ୍ରିୟ ମୃତ୍ୟୁ’ବା ‘ପାସିଭ୍‌ ଇଉଥାନେସିଆ’କୁ ଅନୁମତି ଦେଇଛନ୍ତି।
ଅର୍ଥାତ୍‌ ଦେହ ଆଉ ଭଲ ନ ହୋଇ ପାରିବାର ପରିସ୍ଥିତି ଉପୁଜିଲେ ବିନା ଚିକିତ୍ସାରେ ମରିବାକୁ ବ୍ୟକ୍ତି ବିଶେଷଙ୍କୁ ଅନୁମତି ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି।

ଏହା ସହ ସୁପ୍ରିମ୍‌ କୋର୍ଟ ବ୍ୟକ୍ତି ବିଶେଷଙ୍କୁ ‘ଜୀବିତ ଇଚ୍ଛାପତ୍ର’ ବା ‘ଲିଭିଙ୍ଗ୍‌ ଉଇଲ୍‌’ କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଏହି ଉଇଲ୍‌ ଅନୁସାରେ, ଭବିଷ୍ୟତରେ ଯଦି ଜଣେ ଦୂରାରୋଗ୍ୟ କୋମା ପରିସ୍ଥିତିକୁ ଚାଲି ଯାଆନ୍ତି, ତାଙ୍କୁ ସେତେବେଳେ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ନ ରଖାଯାଉ ବୋଲି ସେ ଚାହୁଁଥାଆନ୍ତି, ସେ କଥା ସେ ଏହି ଉଇଲ୍‌ରେ ପୂର୍ବରୁ ଉଲ୍ଲେଖ କରି ପାରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏବଂ ଜଷ୍ଟିସ୍‌ ଏ କେ ସିକ୍ରି, ଏ ଏମ୍‌ ଖାନଓ୍ଵିକର୍‌, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ବିଚାରପତିମାନେ ଚାରିଟି ଭିନ୍ନ ଭିନ୍ନ ମତ ଦେଇଥିଲେ ମଧ୍ୟ, ‘ଜୀବିତ ଇଚ୍ଛାପତ୍ର’ ବା ‘ଲିଭିଙ୍ଗ୍‌ ଉଇଲ୍‌’କୁ ସେମାନେ ସର୍ବସମ୍ମତି କ୍ରମେ ଅନୁମତି ଦେଇଛନ୍ତି। କାରଣ, ଜଣେ ଜିଇଁଛନ୍ତି ମାତ୍ର ତାଙ୍କର ମସ୍ତିଷ୍କ କାର୍ଯ୍ୟ କରୁ ନାହିଁ- ଏ ଭଳି ଦୁର୍ଦଶାରେ ଜଣେ କଲବଲ ହୋଇ ବଞ୍ଚିବାକୁ ଚାହୁଁ ନ ଥିଲେ ତାଙ୍କୁ ନିଷ୍କ୍ରିୟ ମୃତ୍ୟୁ ବା ବିନା ଚିକିତ୍ସାରେ ମରିବାକୁ ଛାଡ଼ି ଦେବା ପାଇଁ ଅନୁମତି ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର