ଧର୍ମ ଭିତ୍ତିରେ ଭାରତ ଭାଗ ଭାଗ ନହେଉ: ଓବାମା

ନୂଆଦିଲ୍ଲୀ: କୌଣସି ଦେଶକୁ ଧର୍ମ ଭିତ୍ତିରେ ବିଭକ୍ତୀକରଣ କରାନଯାଉ। ଏ ପରିପ୍ରେକ୍ଷୀରେ ଭାରତ ମଧ୍ୟ ଧର୍ମକୁ ନେଇ ଭାଗ ଭାଗ ହେବା ଉଚିତ ନୁହେଁ। ଏଭଳି ଆଶା ପୋଷଣ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲା ବେଳେ ସେ ବ୍ୟକ୍ତିଗତ ଭାବେ ଏପରି ପରାମର୍ଶ ଦେଇଛନ୍ତି ବୋଲି ଓବାମା କହିଛନ୍ତି। ଏଠାରେ ବସବାସ କରୁଥିବା ମୁସଲିମ୍‌ମାନେ ନିଜକୁ ଭାରତୀୟ ଭାବେ ପରିଚୟ ଦେବାରେ ଗର୍ବ ଅନୁଭବ କରୁଥିବା କଥାକୁ ଦେଶବାସୀ ଅନୁଭବ କରିବା ଜରୁରୀ ବୋଲି ମଧ୍ୟ ଓବାମା କହିଛନ୍ତି।
‘ହିନ୍ଦୁସ୍ଥାନ ଟାଇମ୍‌ସ ଲିଡରସିପ୍‌ ସମ୍ମିଟ୍‌’ର ପଞ୍ଚଦଶ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଓବାମା ଏହି ଅବସରରେ କହିଛନ୍ତି ଯେ ଲୋକେ ପରସ୍ପର ଭିତରେ ଥିବା ଫରକକୁ ବେଶି ଦେଖି ପାରନ୍ତି।

ଫଳରେ ସେମାନଙ୍କ ମଧ୍ୟରେ ଥିବା ବିରଳ ସାମଞ୍ଜସ୍ୟକୁ ସେମାନେ ଅଣଦେଖା କରିଦେଇଥାନ୍ତି। ଏହି ସମାନତାଗୁଡ଼ିକ ସର୍ବଦା ଲିଙ୍ଗଭେଦ ଉପରେ ପର୍ଯ୍ୟବସିତ। ସୁତରାଂ ତାହା ଉପରେ ଗୁରୁତ୍ୱ ଦେବାକୁ ଓବାମା କହିଛନ୍ତି। ଭାରତରେ ଯେଭଳି ମୁସ୍‌ଲିମ୍‌ ସମ୍ପ୍ରଦାୟ ସଫଳତାର ସହ ସମନ୍ଵିତ ଭାବରେ ରହିଛନ୍ତି, ଅନେକ ଦେଶରେ ତାହା ଦେଖିବାକୁ ମିଳେନାହିଁ। ସେମାନେ ମଧ୍ୟ ଯେପରି ନିଜକୁ ଭାରତୀୟ ବୋଲି ପରିଚୟ ଦେବାରେ ଆନନ୍ଦ ଅନୁଭବ କରନ୍ତି, ସେହି ଆଦର୍ଶକୁ ସମସ୍ତେ ସମ୍ମାନ ଦେବା ଦରକାର।
ସେହିପରି ଗଣତନ୍ତ୍ରରେ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ପରି ପଦବି ବଡ଼ କଥା ନୁହେଁ। ଏଠାରେ ଜନସାଧାରଣ ହିଁ ଉପଯୁକ୍ତ ଗୁରୁତ୍ୱର ଅଧିକାରୀ। ତେବେ କେଉଁ ଆଦର୍ଶ ବା କାର୍ଯ୍ୟକଳାପ ପାଇଁ ଲୋକେ ଏକ ନିର୍ଦ୍ଦିଷ୍ଟ ରାଜନେତାଙ୍କୁ ପସନ୍ଦ କରୁଛନ୍ତି, ସେ କଥା ସେମାନେ ନିଜେ ନିଜକୁ ପ୍ରଶ୍ନ କରିବା ଦରକାର ବୋଲି ଓବାମା କହିଛନ୍ତି। କୌଣସି ରାଜନେତାଙ୍କ କାର୍ଯ୍ୟରେ ପ୍ରଶ୍ନବାଚୀ ଲାଗିବାର ଅବସର ଆସିଲେ, ସେତେବେଳେ ସେହି କାର୍ଯ୍ୟକୁ ପସନ୍ଦ କରୁଛନ୍ତି କି ନାହିଁ ତାହା ଜନସାଧାରଣ ନିଜକୁ ହିଁ ପ୍ରଶ୍ନ କରିବା ଉଚିତ।
ରାଜନେତା ବା ଲୋକ ପ୍ରତିନିଧିମାନେ ଏକ ଆଇନା ସଦୃଶ, ଯେଉଁଥିରେ ସମାଜର ଚିତ୍ର ପ୍ରତିଫଳିତ ହୋଇଥାଏ। ଯଦି ଭାରତର ଜନସାଧାରଣ ସମାଜକୁ ବିଭାଜନର ଶିକାର ହେବାକୁ ଚାହିବେନି, ତେବେ ତାହା ଏକତା ଲୋଡୁଥିବା ରାଜନେତାଙ୍କ ହାତମୁଠାକୁ ଆହୁରି ଦୃଢ଼ କରିବ ବୋଲି ଓବାମା ପରାମର୍ଶ ଦେଇଛନ୍ତି। ଅପରପକ୍ଷେ, ଧାର୍ମିକ ସହିଷ୍ଣୁତା ସମ୍ପର୍କରେ ତାଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ମୋଦି କିଭଳି ଗ୍ରହଣ କରିଛନ୍ତି ବୋଲି ପଚରାଯାଇଥିବା ପ୍ରଶ୍ନକୁ ଟାଳିଯାଇ ସେ ବ୍ୟକ୍ତିଗତ ଆଲୋଚନାକୁ ପ୍ରକାଶ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର