‘ଯୋଗୀ ରାଜ୍‌’ରେ କେନ୍ଦ୍ର ମନ୍ତ୍ରୀ ବି ସୁରକ୍ଷିତ ନୁହେଁ; ଅସାମାଜିକ ଯୁବକଙ୍କର ଅଶାଳୀନ ବ୍ୟବହାରର ଶିକାର ହେଲେ ମନ୍ତ୍ରୀ ଅନୁପ୍ରିୟା ପଟେଲ

ବାରାଣାସୀ (ଉତ୍ତରପ୍ରଦେଶ): ‘ଯୋଗୀ ରାଜ୍‌’ରେ ଉତ୍ତରପ୍ରଦେଶ ଆଉ ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ହୋଇ ରହିନାହିଁ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଗତ ସୋମବାର ରାତିରେକିଛି ଅସାମାଜିକ ଯୁବକଙ୍କର ଅଶାଳୀନ ବ୍ୟବହାର (ଇଭ୍‌ଟିଜିଙ୍ଗ୍‌)ର ଶିକାର ହୋଇଛନ୍ତି ମୀର୍ଜାପୁରର ଲୋକସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୋଦି ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଥିବା ଅନୁପ୍ରିୟା ପଟେଲ ତାଙ୍କ ନିର୍ବାଚନ ମଣ୍ଡଳୀ ମିର୍ଜାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇସାରି ସୋମବାର ରାତିରେ ଗୋଟିଏ ଗାଡ଼ିରେ ବାରାଣସୀ ଫେରୁଥିଲେ। ତେବେ, ତାଙ୍କ ଗାଡ଼ିଟି ଉରାଇ ଓ ମୀର୍ଜାମୁରାଦ ବାଟ ଦେଇ ଆସୁଥିବା ବେଳେ ହଠାତ ପଛଆଡ଼ୁ ତିନି ଜଣ ଯୁବକ ଏକ ନମ୍ବର ବିହୀନ ଗାଡ଼ିରେ ଦ୍ରୁତଗତିରେ ଆସି ମନ୍ତ୍ରୀଙ୍କ ଗାଡ଼ିକୁ ଅତିକ୍ରମ କରିଯାଇ ମନ୍ତ୍ରୀଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଦେଇଥିଲେ। ତେବେ, ମନ୍ତ୍ରୀଙ୍କ ସହ ଥିବା ସୁରକ୍ଷା କର୍ମୀ ସେମାନଙ୍କର ବିରୋଧ କରିବାରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ପରେ ସେମାନେ ଗାଡ଼ିରେ ବସିଥିବା ମନ୍ତ୍ରୀଙ୍କ ନିକଟକୁ ଆସି ତାଙ୍କୁ ଅଶାଳୀନ ମନ୍ତବ୍ୟମାନ ଦେବା ସହ ତାଙ୍କ ପ୍ରତି ଅଶାଳୀନ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ। ପରେ ଘଟଣା ସଂପର୍କରେ ମନ୍ତ୍ରୀ ପଟେଲ ବାରାଣସୀ ଏସ୍‌ଏସ୍‌ପି ଆର୍‌କେ ଭରଦ୍ୱାଜଙ୍କ ନିକଟରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ କରି ଘଟଣାରେ ସଂପୃକ୍ତ ତିନିଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର