ହାଦିୟାଙ୍କ ସ୍ୱାମୀ ସାଫିନ୍‌ ଆଇଏସ୍‌ ସହ ଜଡ଼ିତ:ଏନ୍‌ଆଇଏ

କେରଳ ଲଭ୍‌ ଜିହାଦ୍‌ ମାମଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କେରଳ ଲଭ୍‌ ଜିହାଦ ମାମଲାର ଶିକାର ହୋଇଥିବା ଅଖିଳା ଅଶୋକାନ୍‌ ଓରଫ ହାଦିୟାଙ୍କ ସ୍ୱାମୀ ସାଫିନ ଜାହାନଙ୍କର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସଂପୃକ୍ତି ରହିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଏଭଳି ଆଶଙ୍କା ପ୍ରକଟ କରିଛି। ଆଇଏସ୍‌ ସହ ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ଏବଂ ଓମାର ଅଲ ହିନ୍ଦୀ ମାମଲାରେ ଏନ୍‌ଆଇଏ ଯେଉଁ ଦୁଇଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା ସେମାନଙ୍କ ସହ ସାଫିନଙ୍କର ସମ୍ପର୍କ ରହିଥିବା କଥା ଏନ୍‌ଆଇଏ ଜାଣିବାକୁ ପାଇଛି।
ଉଲ୍ଲେଖଯୋଗ୍ୟ, ଓମାର ଅଲ ହିନ୍ଦୀ ମାମଲାରେ ମାନସିଦ ଏବଂ ପି ସାଫଭାନ୍‌ଙ୍କ ବିରୋଧରେ ଗତବର୍ଷ ଅକ୍ଟୋବରରେ ଏନଆଇଏ ଚାର୍ଜସିଟ୍‌ ଦାଖଲ କରିଥିଲା। ସାଫିନଙ୍କ ବନ୍ଧୁ ମନସିଦ୍‌ ଏବଂ ତାଙ୍କ ଏସଡିପିଆଇ ସହଯୋଗୀ ମୁନିରଙ୍କ ସହାୟତାରେ ସାଫିନଙ୍କର ହାଦିୟାଙ୍କ ସହ ଭେଟ ହୋଇଥିଲା ଏବଂ ଉଭୟ ଡିସେମ୍ବର ୧୬ରେ ବିବାହ କରିଥିଲେ ବୋଲି ଏନଆଇଏ ବିଶ୍ୱାସ କରୁଛି। ଏନଆଇଏ ସୁତ୍ରରୁ ଜଣାଯାଇଛି ଯେ ହାଦିୟାଙ୍କ ବିବାହ ସମୟରେ ମୁନିର ହାଦିୟାଙ୍କ କୋର୍ଟ ନିଯୁକ୍ତ ତତ୍ତ୍ୱାବଧାୟକ ଥିଲେ।

ଅନ୍ୟପକ୍ଷରେ ହାଦିୟା ବିବାହ ମାମଲାରେ ପୁନଃ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ଏନଆଇଏ ଆଜି ସାଫିନଙ୍କୁ ପଚରାଉଚୁରା କରିଛି। ଉଲ୍ଲେଖଯୋଗ୍ୟ କେରଳର ହୋମିଓପାଥି ଡାକ୍ତର ଅଖିଳା ଅଶୋକାନ ଓରଫ ହାଦିୟା ହିନ୍ଦୁରୁ ଇସଲାମ ଧର୍ମ ପରିବର୍ତ୍ତନ କରି ସାଫିନଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବାପା ଏହି ବିବାହକୁ ଗ୍ରହଣ ନକରି ତାଙ୍କ ଝିଅକୁ ଫସାଇ ଦିଆଯାଇଛି ବୋଲି କହିବାପରେ କେରଳ ହାଇକୋର୍ଟ ଏହି ବିବାହକୁ ରଦ୍ଦ କରିଦେଇଥିଲେ।

ସମ୍ବନ୍ଧିତ ଖବର