ଘଟଣାକ୍ରମ: ସିବିଆଇ ବନାମ ସିବିଆଇ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଆଜି ଭିନ୍ନ ମୋଡ଼ ନେଇଛି। ସିଭିସି ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାପନ୍ନ କମିଟି ବର୍ମାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ସିବିଆଇ କନ୍ଦଳ ଚରମ ସୀମାରେ ପହଞ୍ଚିବା ପରେ ୨ ମାସ ତଳେ କେନ୍ଦ୍ର ସରକାର ଏକ ଆଦେଶ ଜାରି କରି ଉଭୟ ବର୍ମା ଏବଂ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ଏହାସହିତ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତି ଦେଇଥିଲେ। ଏହାପରେ ସିବିଆଇ ଅଧିକାରୀମାନେ ବର୍ମା ଏବଂ ଆସ୍ଥାନାଙ୍କ ଅଫିସ ଗୃହକୁ ସିଲ୍ କରିବା ସହ ଫାଇଲ୍‌ପତ୍ର ଜବତ କରିଥିଲେ। ବର୍ମାଙ୍କ ବିରୋଧରେ ମୁଖ୍ୟ ଭିଜିଲାନ୍‌ସ କମିସନର (ସିଭିସି) ଦେଇଥିବା ତଦନ୍ତ ରିପୋର୍ଟରେ ଅନେକ ଗୁରୁତର ତଥ୍ୟ ରହିଛି। ବର୍ମା ବେଆଇନ ଭାବେ ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା ‘ର’ର ଟେଲିଫୋନ ଟ୍ୟାପ୍‌ କରିଥିବା ପ୍ରମାଣ ରହିଛି ଏବଂ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ସେ ସୁରକ୍ଷା ଦେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସିବିଆଇରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବର୍ମାଙ୍କ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପର ପ୍ରମାଣ ଥିବା ସିଭିସି ରିପୋର୍ଟରେ କୁହାଯାଇଛି।

ଅକ୍ଟୋବର ୧୫(୨୦୧୮): ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସିବିଆଇର ଲାଞ୍ଚ ମାମଲା ରୁଜୁ। ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଅସ୍ଥାନାଙ୍କ ଦୁର୍ନୀତି ଅଭିଯୋଗ।
ଅକ୍ଟୋବର ୧୬: ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଗିରଫ କଲା ସିବିଆଇ
ଅକ୍ଟୋବର ୨୦: ଲାଞ୍ଚ ମାମଲାର ଅନ୍ୟତମ ଅଭିଯୁକ୍ତ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କ ବାସଭବନରେ ସିବିଆଇର ଚଢ଼ଉ
ଅକ୍ଟୋବର ୨୨: ବିଭିନ୍ନ ରେକର୍ଡକୁ ଏପଟସେପଟ କରିବା ଅଭିଯୋଗରେ ଦେବେନ୍ଦ୍ର କୁମାରଙ୍କୁ ସିବିଆଇ ଗିରଫ କଲା
ଅକ୍ଟୋବର ୨୩: ନିଜ ବିରୋଧରେ ହୋଇଥିବା ଏଫ୍ଆଇଆର୍‌କୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅସ୍ଥାନା
ଅକ୍ଟୋବର ୨୩: ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ୭ ଦିନ ପାଇଁ ସିବିଆଇ ହାଜତକୁ ପଠାଗଲା
ଅକ୍ଟୋବର ୨୪: କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ର‌ାକେଶ ଅସ୍ଥାନାଙ୍କୁ ଛୁଟି‌େର ପଠାଇଲେ ଏବଂ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତ କଲେ
ଅକ୍ଟୋବର ୨୬: ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍‌ କରି ଆଲୋକ ବର୍ମା ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ । ବିଭିନ୍ନ ବିରୋଧୀ ଦଳ ବର୍ମାଙ୍କୁ ସମର୍ଥନ କରିବାରୁ ମାମଲା ରାଜନୈତିକ ମୋଡ଼ ନେଇଥିଲା।
ନଭେମ୍ବର ୯: ସିଭିସି ସମ୍ମୁଖରେ ବର୍ମା ନିଜ ପକ୍ଷ ରଖିଥିଲେ
ଜାନୁଆରି ୮: ବର୍ମାଙ୍କୁ ଛୁଟିରେ ପଠାଇବା ସଂକ୍ରାନ୍ତ ସିରକାରଙ୍କ ଆଦେଶ ସୁପ୍ରିମ୍‌ କୋର୍ଟରେ ଖାରଜ
ଜାନୁଆରି ୯: ବର୍ମା କାର୍ଯ୍ୟରେ ଯୋଗଦେଲେ ଏବଂ ଅନ୍ତରୀଣ ନିର୍ଦ୍ଦେଶକ ନେଇଥିବା ବଦଳି ନିଷ୍ପତ୍ତି ରଦ୍ଦ କଲେ।
ଜାନୁଆରି ୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଉଚ୍ଚ କ୍ଷମତାପନ୍ନ ଚୟନ କମିଟି ଦ୍ବାରା ପଦରୁ ହଟିଲେ।

ସମ୍ବନ୍ଧିତ ଖବର