ପକୁଡ଼ି ଦୋକାନରେ ଆୟକର ଚଢ଼ଉ : ଦୋକାନୀ ଗଣିଲେ ୬୦ ଲକ୍ଷ

ଲୁଧିଆନା : ପଞ୍ଜାବର ଲୁଧିଆନା ସହରରେ ଜଣେ ବ୍ୟବସାୟୀ ପକୁଡ଼ି ବିକ୍ରି କରି ଏତେ ଉପାର୍ଜନ କରନ୍ତି ଯେ ଆୟକର ଦିଅନ୍ତି। ତେବେ ଯେତିକି ଟିକସ ଦିଅନ୍ତି ତାହା ତାଙ୍କ ପ୍ରକୃତ ଆୟଠାରୁ କମ୍ ବୋଲି ସନ୍ଦେହ କରିବା ପରେ ଏହି ଦୋକାନରେ ଚଳିତ ସପ୍ତାହରେ ଆୟକର ବିଭାଗ ଚଢ଼ଉ କରିଛି। ଆୟକର ଅଧିକାରୀଙ୍କ ଯାଞ୍ଚ ପରେ ଦୋକାନୀ ନିଜ ଆଡ଼ୁ ଆଉ ୬୦ ଲକ୍ଷ ଟଙ୍କା ଦେଇଛନ୍ତି।

ଆୟକର ଅଧିକାରୀମାନେ ଗିଲ୍ ରୋଡ୍‌ରେ ଥିବା ପାନ୍ନା ସିଂହଙ୍କ ବହୁ ପୁରୁଣା ଦୋକାନ ସମେତ ପସ୍ ମଡେଲ ଟାଉନ ଅଞ୍ଚଳରେ ନୂଆକରି ଖୋଲାଯାଇଥିବା ଦୋକାନରେ ବିକ୍ରିର ଯାଞ୍ଚ କରିଥିଲେ। ତେବେ ଏ ନେଇ ଆୟକର ବିଭାଗର ଯୁଗ୍ମ କମିିସନର ଅପୁଲ ଜୟସ୍ବାଲଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ବିସ୍ତୃତ ସୂଚନା ଦେବାକୁ ମନା କରିଥିଲେ ମଧ୍ୟ ଦୁଇଟି ଯାକ ଦୋକାନରେ ଯାଞ୍ଚକୁ ସ୍ବୀକାର କରିଥିଲେ।

ମାଲିକ ତାଙ୍କର ପ୍ରକୃତ ବିକ୍ରି ଓ ଆୟ ଦର୍ଶାଉ ନଥିବା ନେଇ ଜାଣିବା ପରେ ଏହି ଯାଞ୍ଚ କରାଯାଇଥିଲା। ଦୋକାନର ଆର୍ଥିକ ରେକର୍ଡକୁ ଆୟକର ବିଭାଗ ଯାଞ୍ଚ କରିବା ସହିତ କାଉଣ୍ଟରର ବିକ୍ରିକୁ ମଧ୍ୟ ଅନୁଧ୍ୟାନ କରିଥିଲା। ଏହାପରେ ଦୋକାନ ମାଲିକଙ୍କ ଆୟକର ରିଟର୍ଣ୍ଣକୁ ମିଳାଯାଇଥିଲା। ସେ ଦାଖଲ କରିଥିବା ଟିକସ ଏବଂ ଦୈନିକ ବିକ୍ରିରୁ ଦୋକାନର ବାର୍ଷିକ କାରବାର ଓ ଆୟ ସମ୍ପର୍କରେ ଅଧିକାରୀମାନେ ଆକଳନ କରିଥିଲେ। ଦୋକାନରୁ କେତେ ଟଙ୍କା ଆଦାୟ କରାଯାଇଛି ସେ ନେଇ ଆୟକର ଅଧିକାରୀମାନେ କେହି ପାଟି ଖୋଲୁ ନଥିବା ବେଳେ ବିଭାଗକୁ ୬୦ ଲକ୍ଷ ଟଙ୍କା ଦିଆଯାଇଥିବା ବିଷୟ ଦୋକାନର ମାଲିକ ଦେବ୍ ରାଜ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସ୍ବର୍ଗତ ପାନା ସିଂହ ୧୯୫୨ ମସିହାରେ ଏହି ପକୁଡ଼ି ଦୋକାନ ଆରମ୍ଭ କରିଥିଲେ। ଏହାପରେ ଉକ୍ତ ଦୋକାନ ପକୁଡି ପାଇଁ ପଞ୍ଜାବରେ ପ୍ରିସିଦ୍ଧି ଲାଭ କରିଥିଲା। ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟବସାୟୀ, ଅମଲା ଓ ପୁଲିସ ଅଧିକାରୀମାନେ ଏହି ଦୋକାନର ପକୁଡ଼ି ଖାଇବା ସହିତ ଏହାର ପ୍ରଶଂସା ମଧ୍ୟ କରିଥାନ୍ତି।

ସମ୍ବନ୍ଧିତ ଖବର