ବଢ଼ିଲା ମାଲ୍ୟା ତାତି: କଂଗ୍ରେସ ଦେଲା ପ୍ରମାଣ ଜେଟ୍‌ଲୀ-ମାଲ୍ୟା ଆଲୋଚନା ୧୫ ମିନିଟ୍‌ ଚାଲିଥିଲା

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତିକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ମାଲ୍ୟା ରାଜନୀତି ଜୋର୍‌ ଧରିଛି। ମଦବେପାରୀ ବିଜୟ ମାଲ୍ୟା ପ୍ରକୃତରେ କାହା ଅନୁଗ୍ରହରେ ମୋଟା ଅଙ୍କର ଋଣ ହାସଲ କରିଥିଲେ ଏବଂ ଏଥିରୁ କାହାକୁ ଅଧିକ ଫାଇଦା ମିଳିଛି, ମାଲ୍ୟାଙ୍କ ବ୍ରିଟେନ୍‌ ପଳାୟନ ପଛରେ କାହାର ହାତ ଅଛି, ତାହାକୁ ନେଇ ଦୁଇ ପ୍ରମୁଖ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ମାଲ୍ୟା ବ୍ରିଟେନ୍‌ ଯିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଥିଲେ ବୋଲି ବୁଧବାର କହିବା ପରେ ବର୍ତ୍ତମାନ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମାଲ୍ୟା ପ୍ରସଙ୍ଗ ଏବେ ରାଜନୈତିକ ମହଲକୁ ସରଗରମ କରିଦେଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ପି ଏଲ୍‌ ପୁନିଆ କହିଛନ୍ତି, ‘‘୨୦୧୬ରେ ବଜେଟ୍‌ ଅଧିବେଶନ ଚାଲିଥିବା ବେଳେ ମାଲ୍ୟା ଓ ଜେଟ୍‌ଲୀ ପରସ୍ପରକୁ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଭେଟିଥିଲେ। ୫ ମିନିଟ୍‌ ନୁହେଁ, ବରଂ ୧୫ରୁ ୨୦ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୁଁ ଏହା ନିଜ ଆଖିରେ ଦେଖିଛି। ପ୍ରମାଣ ସ୍ୱରୂପ ସେହି ଦିନର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଇ ପାରିବ। ତେବେ ଯଦି ମୁଁ ଭୁଲ ପ୍ରମାଣିତ ହୁଏ, ତା’ହେଲେ ରାଜନୀତି ଛାଡ଼ିଦେବି।’’ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାରେ ଆକ୍ରମଣାତ୍ମକ ହୋଇଉଠିଛନ୍ତି। ମାଲ୍ୟାଙ୍କ ବ୍ରିଟେନ୍‌ ପଳାୟନ ସଂପର୍କରେ ଜେଟ୍‌ଲୀ ଜାଣିଥିବା ବେଳେ ସେ କାହିଁକି ତାଙ୍କୁ ରୋକିବାକୁ ଚେଷ୍ଟା କଲେନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଜେଟ୍‌ଲୀ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ ବୋଲି ରାହୁଲ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦର୍ଶାଇଛନ୍ତି ଯେ ବ୍ୟାଙ୍କଗୁଡ଼ିକର ୯,୦୦୦ କୋଟି ଟଙ୍କା ଋଣ ପରିଶୋଧ କରିନଥିବା ମାଲ୍ୟାଙ୍କୁ ବିଦେଶ ଯିବା ଲାଗି ଅନୁମତି ମିଳିବା ଏକରକମ ଅସମ୍ଭବ ଥିଲା। ଏ କଥା ସରକାର ମଧ୍ୟ ଜାଣିଥିଲେ। ତେଣୁ ମାଲ୍ୟା ବ୍ରିଟେନ୍‌ ଯିବା ପୂର୍ବରୁ ଜେଟ୍‌ଲୀଙ୍କୁ ଯେତେବେଳେ ଭେଟିଲେ, ଜେଟ୍‌ଲୀ ସିବିଆଇ କିମ୍ବା ଇଡି ଅଥବା ଅନ୍ୟ ତଦନ୍ତକାରୀ ଏଜେନ୍ସିକୁ କହି ମାଲ୍ୟାଙ୍କୁ ରୋକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତେ। ମାଲ୍ୟାଙ୍କ ‘ଗିରଫ ନୋଟିସ୍‌’କୁ ପରିବର୍ତ୍ତନ କରାଯାଇ ‘ସୂଚନା ନୋଟିସ୍‌’ରେ ପରିଣତ କରାଯିବା ଦ୍ୱାରା ତାଙ୍କ ବିଦେଶ ପଳାୟନ ବେଶ୍‌ ସହଜ ହୋଇଥିଲା। ସିବିଆଇକୁ ନିୟନ୍ତ୍ରଣ କରୁଥିବା ଲୋକଙ୍କ ଦ୍ୱାରା ହିଁ ଏହିସବୁ କାରସାଦି କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାହୁଲ-ମାଲ୍ୟା ଯୁଗଳବନ୍ଦୀ: ବିଜେପି

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଘେରିବା ପାଇଁ ଜୋର୍‌ଦାର ରଣନୀତି ତୟାର କରିଥିବା ବେଳେ ଏହାର ମୁକାବିଲା ପାଇଁ ମଧ୍ୟ ବିଜେପି ତତ୍ପରତା ଦେଖାଇଛି। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ର ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ ସାମ୍ବାଦିକ ସମ୍ମିଳନୀ ଡକାଇ ମାଲ୍ୟାଙ୍କ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ‘ମଧୁର ଚୁକ୍ତି’ ଭେଟିଦେଇ ତତ୍‌କାଳୀନ ୟୁପିଏ ସରକାର ବେଶ୍‌ ଉପକୃତ ହୋଇଛନ୍ତି। ଏମିତି କି ଏୟାରଲାଇନ୍ସରେ ଗାନ୍ଧୀ ପରିବାରର ମାଲିକାନା ମଧ୍ୟ ରହିଥାଇପାରେ ବୋଲି ପାତ୍ର ଦର୍ଶାଇଛନ୍ତି। ସେ କହିଛନ୍ତି ଯେ କିଙ୍ଗ୍‌ଫିସର ଏୟାରଲାଇନ୍ସ ଓ ମାଲ୍ୟାଙ୍କ ପଛରେ ଥାଇ ରାହୁଲ ଗାନ୍ଧୀ ସେମାନଙ୍କୁ ଯଥାସାଧ୍ୟ ସହଯୋଗ କରୁଥିଲେ। ଏମିତି କି ଏୟାରଲାଇନ୍ସରେ ଗାନ୍ଧୀ ପରିବାରର ପ୍ରତ୍ୟେକ ସଦସ୍ୟ ବିଜ୍‌ନେସ୍‌ ଶ୍ରେଣୀରେ ମାଗଣାରେ ଯାତ୍ରା କରୁଥିଲେ। କମ୍ପାନିକୁ ଗାନ୍ଧୀ ପରିବାର ନିୟମିତ ଭାବେ ସାହାଯ୍ୟ ସମର୍ଥନ ଯୋଗାଉଥିଲା। ଫଳରେ ଏହାକୁ ବ୍ୟାଙ୍କଗୁଡ଼ିକ ନିକଟରୁ ସହଜରେ ଋଣ ମିଳିଯାଉଥିଲା। ଏହା କହିବା ପରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଋଣ ବାବଦରେ କିଛି ଦସ୍ତାବିଜ୍‌ ଉପସ୍ଥିତ ସାମ୍ବାଦିକମାନଙ୍କୁ ସେ ଦେଖାଇଥିଲେ।

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଆହୁରି କହିଛନ୍ତି, ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ଋଣ ଯୋଗାଇବା ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ମଧ୍ୟରେ ବହୁବାର ଚିଠି ଆଦାନପ୍ରଦାନ ହୋଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ତତ୍‌କାଳୀନ ୟୁପିଏ ସରକାର କିଭଳି କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ଏକ ‘ମଧୁର ଚୁକ୍ତି’ ଭେଟିଦେଇ ସବୁ ପ୍ରକାର ଅନୁଗ୍ରହ ଦେଖାଇଥିଲେ, ତାହା ଏହି ଚିଠି (ଆର୍‌ବିଆଇ-ଏସ୍‌ବିଆଇ ମଧ୍ୟରେ) ସ୍ପଷ୍ଟ ଭାବେ ଦର୍ଶାଉଛି। ସମ୍ବିତ୍‌ ପାତ୍ର କହିଛନ୍ତି ଯେ ବେଳେବେଳେ ଲାଗେ ଯେ କିଙ୍ଗ୍‌ଫିସର ଏୟାରଲାଇନ୍ସ ମାଲ୍ୟାଙ୍କ ଦ୍ୱାରା ନୁହେଁ ବରଂ ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ହେଉଥିଲା। ରେଳମନ୍ତ୍ରୀ ଗୋଏଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଅଯଥା ବିଭ୍ରାନ୍ତି ସୃଷ୍ଟି କରିବା ଲାଗି ରାହୁଲ ଓ ମାଲ୍ୟା ଯୁଗଳବନ୍ଦୀ ସାଜିଛନ୍ତି। କିଛି ପ୍ରସଙ୍ଗ ନପାଇ ସେମାନେ ସରକାରଙ୍କୁ ଘେରିବା ଲାଗି ଏଭଳି ଅପଚେଷ୍ଟା କରୁଛନ୍ତି। ତେବେ ରାହୁଲ ତାଙ୍କର ସମସ୍ତ ପଦବିରୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ। ମାଲ୍ୟାଙ୍କ ସହିତ ତାଙ୍କର ପାରବାରିକ ସଂପର୍କ ଥିବାରୁ ବ୍ୟାଙ୍କଗୁଡ଼ିକ ଉପରେ ପ୍ରବଳ ଚାପ ପଡ଼ିଥିଲା। ଫଳରେ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ସହଜରେ ଋଣ ମିଳିଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଏଲ୍‌ ଦର୍ଶାଇଛନ୍ତି ଯେ ମାଲ୍ୟା ଜଣେ ଅପରାଧୀ। ତେଣୁ ତାଙ୍କ କଥାକୁ ଏତେ ଗୁରୁତ୍ୱ ଦେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର