ଭିଭିପିଏଟି ଗଣତି ବଢ଼ାଇବାକୁ ନିର୍ଦ୍ଦେଶ

ମାର୍ଚ୍ଚ ୨୮ ସୁଦ୍ଧା ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ କରିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଇଭିଏମ୍‌ ଏବଂ ଭିଭିପିଏଟି ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିସନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ଭୋଟର ଭେରିଫାଏଡ୍‌ ପେପର୍‌ ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି) ମେସିନ୍‌ର ଅଡିଟ୍‌ ବଢ଼ାଇବାକୁ ହେବ ଏବଂ ଇଭିଏମ୍‌ ଗଣତିର ସଠିକ୍‌ ସ୍ଥିତି ଜାଣିବା ପାଇଁ ଅଧିକ ସଂଖ୍ୟାରେ ଭିଭିପିଏଟି ଭୋଟ୍‌ ଗଣତିକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ଆଗାମୀ ଲୋକସଭା‌ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଟି ବିଧାନସଭା କ୍ଷେତ୍ରରୁ କେବଳ ଗୋଟିଏ ଭିଭିପିଏଟି ମେସିନ୍‌ର ଗଣତି କରାଯିବା ସଂକ୍ରାନ୍ତ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରାଯିବା ଜରୁରୀ ବୋଲି ସୁପ୍ରିମକୋର୍ଟ ଆଜି ସଙ୍କେତ ଦେଇଛନ୍ତି। ଭିଭିପିଏଟି ଗଣତି ବଢ଼ାଯାଇ ପାରିବ କି ନାହିଁ ସେ ସଂସପର୍କରେ ନିର୍ବାଚନ କମିସନଙ୍କ ଜବାବ ମିଳିବା ପରେ ସୁପ୍ରିମ୍‌ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି। ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତିଟି ବିଧାନସଭା କ୍ଷେତ୍ରରେ କେବଳ ଗୋଟିଏ ଭିଭିପିଏଟି ମେସିନ୍‌ର ଭୋଟ୍‌ ଗଣତି କରାଯିବାକୁ ଧାର୍ଯ୍ୟ ହୋଇଛି। ‌ତେବେ ଗୋଟିଏ ନିର୍ବାନଚ କ୍ଷେତ୍ରରେ ଅଧିକ ସଂଖ୍ୟାରେ ଭିଭିପିଏଟି ଗଣତି କରାଯିବାକୁ ଦାବି କରି ବିରୋଧୀ ଦଳମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗଇ ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି କହିଛନ୍ତି ‌ଯେ ଆରମ୍ଭ ହୋଇଥିବା ପଦ୍ଧତି ଉପରେ କୌଣସି ସନ୍ଦେହର ପ୍ରଶ୍ନ ଉଠୁନାହିଁ, କିନ୍ତୁ ଭୋଟରମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାଚନ କମିସନ ଅଧିକ ଭିଭିପିଏଟି ଭୋଟ୍‌ ଗଣତିକୁ ବିଚାରକୁ ନେବା ଉଚିତ୍‌ । ବିରୋଧୀ ଦଳ ନେତାଙ୍କ ଆବେଦନ ଉପରେ ଆସନ୍ତା ଏପ୍ରିଲ ୧ ତାରିଖରେ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୧ ବିରୋଧୀ ଦଳ ନେତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ପ୍ରତି ନିର୍ବାଚନ କ୍ଷେତ୍ରରୁ ୫୦ ପ୍ରତିଶତ ଭୋଟିଙ୍ଗ୍‌ ମେସିନ୍‌ର ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର