ଚିନ୍ତା ବଢ଼ାଉଛି ଚୀନ୍‌ର ‌ଗୁପ୍ତ ୟୁନିଟ୍‌, ସାଇବର ଆକ୍ରମଣ ବଢ଼ିବ

ଶିଳ୍ପ, ସରକାରୀ ସଂସ୍ଥା ପ୍ରତି ବିପଦ

ନୂଆଦିଲ୍ଲୀ: ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ କରିଥିବା ବେଳେ ଏହାକୁ ନେଇ ପଡ଼ୋଶୀ ଚୀନ୍‌ ଓ ପାକିସ୍ତାନରେ ଭାଳେଣି ପଡ଼ିଲାଣି। ଏଥିପାଇଁ ଦୁଇଦେଶ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଥିବା ସୂଚନା ମିଳିଛି। ଚୀନ୍‌ ଏବେ ସାଇବର ଆକ୍ରମଣ ଦ୍ବାରା ଭାରତର କ୍ଷତି ଘଟାଇବାକୁ ଚିନ୍ତା କରୁଛି। ଏଥିପାଇଁ ଚୀନ୍‌ ଏକ ଗୁପ୍ତ ୟୁନିଟ୍‌ ସ୍ଥାପନ କରିଥିବା ଭାରତର ଗୁଇନ୍ଦା ଏଜେନ୍ସି ସତର୍କ କରାଇ ଦେଇଛି। ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ), ସାଇବର ୱାରଫେୟାର ଭଳି ବିଭିନ୍ନ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହା ପଛରେ ପିଏଲ୍‌ଏର ଗୁପ୍ତ ସଶସ୍ତ୍ର ୟୁନିଟ୍‌ ୬୧୩୯୮ର ହାତ ଥିବା କୁହାଯାଉଛି। ବିଶ୍ବବ୍ୟାପୀ ଡିଜିଟାଲ୍‌ ଯୋଗାଯୋଗ ମାତ୍ରା ବୃଦ୍ଧି ପାଇଥିବାରୁ ଏମାନେ ଏହା ମାଧ୍ୟମରେ ବିଭିନ୍ନ ରାଷ୍ଟ୍ରକୁ ଟାର୍ଗେଟ୍‌ କରୁଛନ୍ତି। ୟୁନିଟ୍‌ ୬୧୩୯୮ର ମୁଖ୍ୟ କାର୍ଯ୍ୟାଳୟ ଚୀନ୍‌ର ସାଙ୍ଘାଇରେ ଥିବା ବେଳେ ଚୀନ୍‌ର ଗୁଇନ୍ଦା ଅଧିକାରୀଙ୍କ ସହାୟତା‌ରେ ଏହା ସାଇବର ଆକ୍ରମଣ ଦ୍ବାରା ଗୁପ୍ତ ତଥ୍ୟ (ସାଇବର ସ୍ପାଇଂ) ହାସଲ କରୁଥିବା ଅନୁମାନ କରାଯାଉଛି। ଚୀନ୍‌ର ହ୍ୟାକର୍‌ମାନେ ଏପିଟି ସିଷ୍ଟମ୍‌ ମାଧ୍ୟମରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ଶିଳ୍ପ ଓ ସରକାରୀ ସଂସ୍ଥାଗୁଡ଼ିକୁ ଆକ୍ରମଣ କରି ପ୍ରଭୁତ କ୍ଷତି ଘଟାଉଛନ୍ତି। ଭାରତ ଉପରେ ଏବେ ସେମାନଙ୍କ ନଜର ରହିଥିବା ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ହ୍ୟାକର୍‌ମାନେ ଆଇସ୍‌ ବ୍ୟାଗ୍‌, ହିଡିନ୍‌ ଲିଙ୍କ୍ସ ଓ ଏପିଟି ଏବଂ ବିଭିନ୍ନ ଟ୍ରୋଜାନ୍‌ ମାଲ୍‌ୱେର୍‌କୁ ବ୍ୟବହାର କରି ତଥ୍ୟ ଚୋରାଇ ନେଉଛନ୍ତି। ଅନିଷ୍ଟକାରୀ ସଫ୍ଟୱେର ଦ୍ବାରା ସେମାନେ ଏଭଳି କରୁଛନ୍ତି। ଟ୍ରୋଜାନ୍‌ ମାଲ୍‌ୱେର ହେଉଛି ଏକ ଅତ୍ୟାଧୁନିକ ପେସାଗତ ପ୍ରୋଗ୍ରାମ୍‌, ଯାହାକୁ ଚୀନ୍‌ର ହ୍ୟାକରମାନେ ବ୍ୟବହାର କରୁଛନ୍ତି। ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ପିଏଲ୍‌ଏର ସାଧାରଣ କର୍ମଚାରୀ ବିଭାଗ ବା ୬୧୩୯୮ ୟୁନିଟ୍‌ ଏବେ ସ୍ବତନ୍ତ୍ର ଫାଇବର ଅପ୍ଟିକ୍‌ କମ୍ୟୁନିକେସନ୍ସ ଭିତ୍ତିଭୂମି ବ୍ୟବହାର କରୁଛି। ରାଷ୍ଟ୍ରୀୟ ସୁରକ୍ଷା ନାମରେ ଚୀନ୍‌ ସେନା ଏହାକୁ ବେଆଇନ ଭାବେ ବ୍ୟବହାର କରୁଥିବା ରିପୋର୍ଟ ଦର୍ଶାଇଛି।

ଉଲ୍ଲେଖଯୋଗ୍ୟ, ଏକ ଜେଟ୍‌ ଇଞ୍ଜିନ୍‌ର ତଥ୍ୟ ହ୍ୟାକ୍‌ ଅଭିଯୋଗରେ ଚଳିତବର୍ଷ ଅକ୍ଟୋବରରେ ଆମେରିକା ପକ୍ଷରୁ ଚୀନ୍‌କୁ ତାଗିଦ୍‌ କରାଯାଇଥିଲା। ଏଥିପାଇଁ ଚୀନ୍‌ର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କୁ ସମନ୍‌ କରାଯାଇଥିଲା। ଆମେରିକାର ବେସାମରିକ ବାଣିଜ୍ୟ ତଥ୍ୟ ଚୋରାଇବା ପାଇଁ ଏହି ହ୍ୟାକ୍‌ କରାଯାଇଥିଲା। ଏହାଦ୍ବାରା ଚୀନ୍‌ ଏହାର ଗବେଷଣା‌ରେ ଅଧିକ ଖର୍ଚ୍ଚ ନକରି ଶସ୍ତାରେ ଟେକ୍ନୋଲୋଜି ତିଆରି କରିପାରିବ। ଭାରତ ଏବେ ଏହାର ପ୍ରତିରକ୍ଷା କ୍ଷେତ୍ର ପାଇଁ ଆଇଏନ୍‌ଏସ୍‌ ଅରିହନ୍ତ୍‌ ନିର୍ମାଣ କରିଛି। ସମୁଦ୍ର ଭିତରୁ ବାଲିଷ୍ଟିକ୍‌ ମିସାଇଲ୍‌ ଛାଡ଼ିବାରେ ଏହା ବେଶ୍ ପାରଙ୍ଗମ। ଆମେରିକାର ପି୮ଆଇ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏଥିରେ ଖଞ୍ଜାଯାଇଛି। ଏହା ଉପରେ ଏବେ ଚୀନ୍‌ର ନଜର ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର