ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆମ ପ୍ରତି ଭାରତର ଆଚରଣ ଉଗ୍ର ହୋଇଯାଇଛି : ପାକିସ୍ତାନ

ଇସ୍ଲାମାବାଦ : ୨୦୧୪ରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଆମ ପ୍ରତି ହଠାତ ଉଗ୍ର ହୋଇଉଠିଛି ବୋଲି ପାକିସ୍ତାନ ଅଭିଯୋଗ କରିଛି ।

ପାକିସ୍ତାନର ବିଦାୟୀ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ଖୁରମ ଦସ୍ତଗୀର ଖାଁ କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଆପୋଷ ଆଲୋଚନା ପାଇଁ ରାଜି ଥିଲେ ମଧ୍ୟ ଭାରତ ସେଥିପାଇଁ ରାଜି ହେଉନାହିଁ । ଭାରତୀୟ ଶାସନକୁ ବିଜେପି ଆସିବା ପରେ ସରକାରଙ୍କ ଚରିତ୍ର ଆକ୍ରାମକ ହୋଇଯାଇଛି । ସରକାର ଚଳାଉଥିବା ନେତାମାନଙ୍କ ଆଚରଣ ଓ କାମ ଉଭୟ ଆକ୍ରାମକ ରହିଛି । ପ୍ରତି କଥାରେ ଭାରତ ପାକିସ୍ତାନକୁ ଟାର୍ଗେଟ କରୁଛି । ଭାରତ ସରକାରଙ୍କ ପରି ଭାରତୀୟ ସେନାର ଆଚରଣ ମଧ୍ୟ ଅତି ଉଗ୍ର ହୋଇଯାଇଛି । ଭାରତୀୟ ସେନା ସବୁବେଳେ ଉସୁକାଇଲା ଭଳି ପଦକ୍ଷେପ ନେଉଛି ଓ କାଶ୍ମୀରରେ ନିରୀହ ଜନତାଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଦମନ କରୁଛି । ତେବେ ପାକିସ୍ତାନ କାଶ୍ମୀରର ଜନତାଙ୍କୁ ନିଜର ସହାୟତା ଓ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି । ଏହାଛଡା ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ସବୁବେଳେ କାମ କରିଆସିଛି, କିନ୍ତୁ ଭାରତ ସବୁବେଳେ ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ମାନିନାହିଁ ବୋଲି ସେ କହିଛନ୍ତି ।  ସୂଚନାଯୋଗ୍ୟ ଯେ କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ପାକିସ୍ତାନ ପାଇଁ ଅତି କଠୋର ମନୋଭାବ ପୋଷଣ କରୁଛନ୍ତି । ଆତଙ୍କବାଦ ବନ୍ଦ ନହେବା ପର୍ଯନ୍ତ ଆଲୋଚନା କରିବା ସମ୍ଭବ ନୁହେଁ ବୋଲି ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  କହିଥିଲେ ।

ସମ୍ବନ୍ଧିତ ଖବର