ଭାରତ-ପାକ୍‌ ମିଳିତ ସମରାଭ୍ୟାସ!

ନୂଆଦିଲ୍ଲୀ : ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ ଏକା ସାଙ୍ଗରେ ମିଳିତ ସମରାଭ୍ୟାସରେ ଯୋଗ ଦେବାକୁ ଯାଉଛନ୍ତି। ଏହି ସମରାଭ୍ୟାସରେ ଚୀନ, ରୁଷ ଆଦି ରାଷ୍ଟ୍ର ମଧ୍ୟ ସାମିଲ ହେବେ। ଆସନ୍ତା ସେପ୍ଟେମ୍ବର ମାସରେ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଦ୍ୱାରା ରୁଷ୍‌ରେ ଏକ ବିଶାଳ ଆତଙ୍କବାଦ ଦମନ ସମରାଭ୍ୟାସ ଆୟୋଜିତ ହେବାକୁ ଯାଉଛି। ବିଶ୍ୱ ପାଇଁ ଏବେ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ପାଲଟିଥିବା ବେଳେ ଏଥିରୁ ନିସ୍ତାର ପାଇଁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି। ଏହି ସମରାଭ୍ୟାସର ନାମ ‘ପିସ୍‌ ମିସ୍‌ନ’ ରଖାଯାଇଛି ଏବଂ ରୁଷ୍‌ର ଉରାଲ ପାର୍ବତ୍ୟାଞ୍ଚଳରେ ସମରାଭ୍ୟାସ ହେବ। ଏଥିରେ ସମସ୍ତ ରାଷ୍ଟ୍ର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମଧ୍ୟ ପ୍ରଦର୍ଶନ କରିବେ। ଏଭଳି ମିଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ଭାରତ ସହିତ ପାକିସ୍ତାନ ମଧ୍ୟ ଯୋଗ ଦେଉଥିବାରୁ ଏସିଆରେ ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ନୂଆ ସମୀକରଣ ସୃଷ୍ଟି ହେବ। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଏହି ସର୍ବବୃହତ୍‌ ସମରାଭ୍ୟାସରେ ସାମିଲ ହେବାକୁ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଗତବର୍ଷ ଡୋକଲାମରେ ଭାରତ-ଚୀନ ସେନା ୭୩ ଦିନ ଧରି ମୁହାଁମୁହିଁ ସ୍ଥିତିରେ ରହିବା ପରେ ଉଭୟ ଦେଶର ମିଳିତ ସମରାଭ୍ୟାସ ସ୍ଥଗିତ ହୋଇଯାଇଥିଲା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଓ ସହଯୋଗ ସ୍ଥାପନ ପାଇଁ ଚର୍ଚ୍ଚା ହୋଇଛି। ଆଗାମୀ ମିଳିତ ସମରାଭ୍ୟାସରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ତାଳମେଳ ସୁଦୃଢ଼ କରିବାକୁ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ୨୦୦୧ ମସିହାରେ ସାଂଘାଇରେ ଆୟୋଜିତ ଏକ ସମ୍ମିଳନୀରେ ଏସ୍‌ସିଓର ପ୍ରତିଷ୍ଠା କରାଯାଇଥିଲା। ରୁଷ, ଚୀନ, କିରଗିଜସ୍ତାନ, କଜାକସ୍ତାନ, ତାଜିକସ୍ତାନ ଏବଂ ଉଜବେକିସ୍ତାନ ଉଦ୍ୟମରେ ଏହି ସଂଗଠନ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଭାରତ ଓ ପାକିସ୍ତାନ ଏହି ସଂଗଠନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର