କୋରୋନାଭାଇରସ୍ର ଅନ୍ତୁଡ଼ିଶାଳ ଉହ୍ବାନ ସହରରେ ଫସି ରହିଛନ୍ତି ୩୦୦ ଭାରତୀୟ, ଦେଶକୁ ପଠାଇବାକୁ ଅନୁରୋଧ କଲେ ଭାରତ ସରକାର
ନୂଆଦିଲ୍ଲୀ: କୋରୋନା ଭାଇରସ୍ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହ୍ବାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯାଇଛି।ଚୀନ ସରକାର ଏହି କଟକଣା ଲଗାଇବା ପରେ ଅନେକ ଭାରତୀୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। କାରଣ ୨୫୦ରୁ ୩୦୦ ଭାରତୀୟ ସେହି ସହରରେ ରହିଥିବା ବେଳେ ସେମାନେ ସେଠାରୁ ସ୍ବଦେଶ ଫେରିବା ଅସମ୍ଭବ ହୋଇପଡ଼ିଛି। ଭାରତ ସରକାର ସେମାନଙ୍କୁ ଛାଡ଼ିଦେବାକୁ ଚୀନକୁ ଅନୁରୋଧ କରିଛନ୍ତି। ନେସ୍ନାଲ୍ ହେଲ୍ଥ କମିସନ୍ର ରିପୋର୍ଟ ମୁତାବକ ଚୀନରେ ଏବେ ସୁଦ୍ଧା ୧,୨୮୭ ଜଣ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଘୋଷଣା କରାଯାଇଛି ଯେ ରବିବାରରୁ ଉହ୍ବାନ ସହରକୁ ସମସ୍ତ ଯାନବାହାନ ଚଳାଚଳକୁ ବନ୍ଦ କରାଗଲା। କେବଳ ସ୍ବତନ୍ତ୍ର ବ୍ୟବହାର ପାଇଁ ନିୟୋଜିତ ହୋଇଥିବା ମାଗଣା ବସ୍, ଅଫିସ୍ କାର୍, ଯୋଗାଣ ପରିବହନ ଯାନ ବ୍ୟତୀତ ଆଉ ସବୁ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଉହ୍ବାନ ସହରରେ ଏପରି ଅଚାନକ କଟକଣା ଲଗାଯିବା ପରେ ସେଠାରେ ରହୁଥିବା ଭାରତୀୟଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଚୀନର ରାଜଧାନୀ ହୁବେଇ ପ୍ରଦେଶରେ ୧୧ ମିଲିୟନ୍ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ବି ଅଛନ୍ତି। ମାତ୍ର ସୌଭାଗ୍ୟକୁ ଦୁଇ ସପ୍ତାହ ତଳେ ବହୁ ସଂଖ୍ୟକ ଭାରତୀୟ ନୂଆବର୍ଷ ପାଳନ କରିବାକୁ ସହର ଛାଡ଼ି ଭାରତ ଚାଲି ଆସିଛନ୍ତି। ବାକି ରହି ଯାଇଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଥିବା ବେଳେ ପ୍ରାୟ ୫୦ ଜଣ କାର୍ଯ୍ୟରତ ବ୍ୟକ୍ତି ଅଛନ୍ତି।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭାରତୀୟ ଦୂତାବାସର ଅଧିକାରୀ ଉହ୍ବାନ ଓ ହୁବେଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏହି ସାଂଘାତିକ ଭାଇରସ୍ ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କ ପାଖକୁ ଡେଉଁଥିବା କାରଣରୁ କିଏ କୁଆଡ଼େ ଯିବ ଓ କିଏ କେଉଁଠି ରହିବ ଏ ନେଇ ଅନେକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
ତେବେ ଉହ୍ବାନରୁ ଭାରତୀୟମାନେ ବାହାରିବା ଏବେ ଏତେ ସହଜ ନୁହେଁ। ଭାରତୀୟମାନେ ସେଠାରୁ ବହାରି ଆସିପାରିବେ କି ନାହିଁ ତାହା ଏବେ ଚୀନ ଅଧିକାରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଯଦି ଚୀନ ଭାରତୀୟମାନଙ୍କୁ ସହର ବାହାରକୁ ଯିବାର ଅନୁମତି ଦେଉଛି ତେବେ ଅନ୍ୟ ଦେଶର ନାଗରିକ ବି ସମାନ ସୁବିଧା ଚାହିବେ। ତେଣୁ, ଏହି ପରିସ୍ଥିତିରେ ଭାରତୀୟମାନେ ବିପଦପୂର୍ଣ୍ଣ ସହର ଉହ୍ବାନରୁ ବାହାରିବାର ସେପରି କୌଣସି ବାଟ ନଜର ଆସୁନାହିଁ। ସହରରୁ ବାହାରକୁ ଯାଉଥିବା ଟ୍ରେନ୍, ବିମାନ କିମ୍ବା ଅନ୍ୟ ସମସ୍ତ ଯାନ ଚଳାଚଳକୁ ପୂରାପୂରି ଭାବେ ବନ୍ଦ କରି ଦିଆଯାଇଛି।