କୃଷକଙ୍କ ଆନ୍ଦୋଳନ ୧୦ରେ ଭାରତ ବନ୍ଦ

୧୭୨ଟି କୃଷକ ସଂଗଠନ ସାମିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସମେତ ୭ଟା ରାଜ୍ୟରେ ଆଜି ଚାଷୀମାନେ ବଡ଼ଧରଣର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ କୃଷକ ମହାସଂଘ ଆହ୍ଵାନକ୍ରମେ ୧୭୨ଟି କୃଷକ ସଂଗଠନ ଏଥିରେ ସାମିଲ୍‌ ହୋଇଛନ୍ତି। ପୁଲିସ୍‌ ଗୁଳିରେ ମଧ୍ୟପ୍ରଦେଶ ମଣ୍ଡସରର ୬ ଜଣ କୃଷକଙ୍କ ମୃତ୍ୟୁ ଘଟଣାର ଏକ ବର୍ଷ ପୂର୍ତ୍ତିରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏହା ୧୦ ଦିନ ଧରି ଚାଲିବ। ଏହି ସମୟସୀମା ମଧ୍ୟରେ ସରକାର ଦାବି ପୂରଣ ନକଲେ ୧୦ ତାରିଖଠାରୁ ଭାରତବନ୍ଦ ଆନ୍ଦୋଳନ ହେବ ବୋଲି ଘୋଷଣା କରାଯାଇଛି। ଗତବର୍ଷ ଜୁନ୍‌ ମାସରେ ମଧ୍ୟପ୍ରଦେଶର ମଣ୍ଡସର୍‌ରେ ପୁଲିସ ଗୁଳିରେ ୬ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏହାର ବାର୍ଷିକୀ ଅବସରରେ ପ୍ରଥମେ ମଧ୍ୟପ୍ରଦେଶରେ କୃଷକମାନଙ୍କ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ପରେ ରାଷ୍ଟ୍ରୀୟ କୃଷକ ମହାସଂଘ ଆହ୍ଵାନକ୍ରମେ ଅନ୍ୟ ୬ ରାଜ୍ୟର କୃଷକମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକ ହେଲା ହରିୟାଣା, ରାଜସ୍ଥାନ, ଜମ୍ମୁ କଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ। ସମୁଦାୟ ୧୭୨ଟି କୃଷକ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ୍‌ ହୋଇଥିବା ଜଣାପଡ଼ିଛି। ଉତ୍ପାଦିତ କୃଷିଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, ସମ୍ପୂର୍ଣ୍ଣ ଋଣଛାଡ଼ ସହ ଅନ୍ୟାନ୍ୟ ଦାବି ପୂରଣ ନେଇ ଏହି ରାଜ୍ୟଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସୂଚନା ଅନୁସାରେ, କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟ ଏବଂ ଦୁଗ୍ଧ ରାସ୍ତାରେ ଢାଳି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏଥିସହିତ, ଗାଁ ବନ୍ଦ ଡାକରା ଦେଇ କୃଷିଜାତ ଦ୍ରବ୍ୟ ସହ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ଗାଁରୁ ସହରକୁ ଯୋଗାଣ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଦାବି ପୂରଣ ନକଲେ ଆସନ୍ତା ୧୦ ତାରିଖଠାରୁ ଭାରତ ବନ୍ଦ ଆନ୍ଦୋଳନ କରାଯିବ ବୋଲି ରାଷ୍ଟ୍ରୀୟ କୃଷକ ମହାସଂଘର ଶିବ କୁମାର ଶର୍ମା କହିଛନ୍ତି।ପ୍ରକାଶଥାଉକି, ଉଲ୍ଲେଖଯୋଗ୍ୟ ଗତବର୍ଷ ଜୁନ୍‌ ମାସରେ ମଧ୍ୟପ୍ରଦେଶର ମଣ୍ଡସର୍‌ରେ ପୁଲିସ ଗୁଳିରେ ୬ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏହାର ବାର୍ଷିକୀ ଅବସରରେ ପ୍ରଥମେ ମଧ୍ୟପ୍ରଦେଶରେ କୃଷକମାନଙ୍କ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଥିଲା।

ସମ୍ବନ୍ଧିତ ଖବର