ମହାକାଶ ଇତିହାସରେ ଯୋଡ଼ିହେଲା ଓଡ଼ିଶା : ମହାକାଶରେ ଦମ୍ ଦେଖାଇଲା ଭାରତ
ଉପଗ୍ରହକୁ ଧ୍ବଂସ କଲା କ୍ଷେପଣାସ୍ତ୍ର, ବିଶ୍ୱ ଚତୁର୍ଥ ମହାକାଶ ଶକ୍ତି ଭାରତ, ଚୀନକୁ ମିଳିବ ଉଚିତ ଜବାବ, ଓଡ଼ିଶା ମାଟିରୁ ପ୍ରଥମ ପରୀକ୍ଷା
ନୂଆଦିଲ୍ଲୀ/ବାଲେଶ୍ବର : ମହାକାଶରେ ଚୀନ୍ ଲଗାତାର ଶକ୍ତି ପ୍ରଦର୍ଶନ କରି ଭାରତକୁ ନାଲି ଆଖି ଦେଖାଉଥିବା ବେଳେ ଭାରତ ଏହାର ଜବାବ ଦେଇଛି। ମହାକାଶରେ ଶତ୍ରୁ ପକ୍ଷର ଉପଗ୍ରହକୁ କ୍ଷେପଣାସ୍ତ୍ର ଦ୍ବାରା ଧ୍ବଂସ କରିବାର କ୍ଷମତା ଭାରତର ରହିଛି। ଭାରତ ଆଜି ଏଭଳି ଏକ ପରୀକ୍ଷା କରି ଦେଖାଇ ଦେଇଛି, ଆମେ ବି ଏକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ପଛରେ ନାହୁଁ। ଭାରତର ବୈଜ୍ଞାନିକମାନେ ଆଜି ମହାକାଶରେ ଅବସ୍ଥାପିତ ଏକ ଭାରତୀୟ ଉପଗ୍ରହକୁ ପରୀକ୍ଷାମୂଳକ ଭାବେ କ୍ଷେପଣାସ୍ତ୍ର ଦ୍ବାରା ଧ୍ବଂସ କରିଛନ୍ତି। ୩୦୦ କିଲୋମିଟର ଉପରେ ଥିବା ଉପଗ୍ରହକୁ କ୍ଷେପଣାସ୍ତ୍ର (ଉତକ୍ଷେପଣ ହେବାର) ୩ ମିନିଟ ମଧ୍ୟରେ ଧ୍ବଂସ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିରଳ ସଫଳତା ହାସଲ କରି ମହାକାଶରେ ନୂଆ ଇତିହାସ ସୃଷ୍ଟି କରିଛି ଭାରତ। ପୂର୍ବରୁ କେବଳ ଆମେରିକା, ରୁଷିଆ ଏବଂ ଚୀନ ଏଭଳି ସଫଳତା ହାସଲ କରିଛନ୍ତି।
ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଲା େଯ ଏଭଳି ଏକ ବିରଳ ସଫଳତାରେ ଓଡ଼ିଶାର ନାମ େଯାଡ଼ି ହୋଇଯାଇଛି। କାରଣ ଯେଉଁ କ୍ଷେପଣାସ୍ତ୍ର ମହାକାଶରେ ଅବସ୍ଥାପିତ ଉପଗ୍ରହକୁ ଧ୍ବଂସ କରିଛି ତାହା ଓଡ଼ିଶା ମାଟିରୁ ହିଁ ଉତକ୍ଷେପଣ ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ବଙ୍ଗୋପସାଗରେର ଓଡ଼ିଶାର ଅବଦୁଲ କଲାମ ଦ୍ବୀପରୁ କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା। ଏହା ଭୂ-ପୃଷ୍ଠରୁ ୩୦୦ କିମି ଦୂରରେ ଅବସ୍ଥାପିତ ଲୋ-ଆର୍ଥ ଅରବିଟ୍ ଉପଗ୍ରହକୁ ମାତ୍ର ୩ ମିନିଟ୍ରେ ଧ୍ବଂସ କରି ଖସାଇବାରେ ସଫଳ ହୋଇଛି। ପରୀକ୍ଷଣ ବେଳେ ପ୍ରତିରକ୍ଷା ବିଭାଗ କଂଟ୍ରୋଲ ବୋର୍ଡର ବୈଜ୍ଞାନିକମାନେ ରାଡାର ମାଧୢମରେ ଏହାର ଗତିବିଧି ଉପରେ ନଜର ରଖିଥିଲେ। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ପ୍ରଥମ ପରୀକ୍ଷଣରେ ସଫଳ ହୋଇଛି।
ଭାରତର ଗୋଟିଏ ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ମହକାଶରେ ଏହାକୁ ଅନ୍ୟ ମହାଶକ୍ତିଙ୍କ ସହ ସମାନ କରିଛି। ୨୦୦୭ ମସିହାରେ ଚୀନ୍ ପ୍ରଥମେ ଏଭଳି ପରୀକ୍ଷଣ କରି ସଫଳତା ପାଇଥିଲା ଏବଂ ଏହି ଜ୍ଞାନକୌଶଳ କେବଳ ୩ଟି ରାଷ୍ଟ୍ର ଆମେରିକା, ରୁଷ୍ ଏବଂ ଚୀନ୍ ମଧ୍ୟରେ ସୀମିତ ରହିଥିଲା। ସର୍ବ ପ୍ରଥମେ ଆମେରିକା ୧୯୫୯ରେ ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ର ପ୍ରୟୋଗରେ ସଫଳତା ହାସଲ କରିଥିଲା। ରୁଷ୍ ୧୯୬୦ ଏବଂ ୧୯୭୦ରେ ଏଭଳି ପରୀକ୍ଷଣ କରିଥିଲା। ବିଗତ ୨ ଦଶନ୍ଧି ମଧ୍ୟରେ ଚୀନ୍ ମହକାଶ ଅସ୍ତ୍ର ବିକାଶରେ ସଫଳତା ହାସଲ କରିବା ପରେ ଭାରତର ଉପଗ୍ରହଗୁଡ଼ିକ ପାଇଁ ବିପଦ ସୃଷ୍ଟି ହୋଇଥିଲା। ଏବେ ଭାରତର ଉପଗ୍ରହକୁ କେହି କ୍ଷତି ପହଞ୍ଚାଇବାକୁ ପ୍ରୟାସ କଲେ ଭାରତ ଏହାର ମୁକାବିଲା କରିବାକୁ ସଂପୂର୍ଣ୍ଣ ସକ୍ଷମ।
ଭାରତୀୟ ବୈଜ୍ଞାନିକମାନେ ଏହି ଅଭିଯାନକୁ ‘ମିସନ୍ ଶକ୍ତି’ ନାମ ଦେଇଥିବା ବେଳେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ବୈଜ୍ଞାନିକମାନେ ମାତ୍ର ୩ ମିନିଟ୍ରେ ଏହି ଅପରେସନ ଶେଷ କରି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜେ ଏହାର ଘୋଷଣା କରିଛନ୍ତି ଏବଂ ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଏବେ ମହକାଶରେ ଚତୁର୍ଥ ମହାଶକ୍ତି ପାଲଟିଥିବା କହିଛନ୍ତି। ଡିଆର୍ଡିଓ ବୈଜ୍ଞାନିକମାନେ ଏହି ପରୀକ୍ଷଣ କୌଣସି ଦେଶ ବିରୋଧରେ ନଥିବା ସ୍ପଷ୍ଟ କରିବା ସହ ଏହାର କୌଣସି ସାମରିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି।
ତେବେ ଯୁଦ୍ଧ ସ୍ଥିତିରେ ଭାରତ ମହକାଶରେ କ୍ଷେପଣାସ୍ତ୍ର ମାଡ଼ କରି ଶତ୍ରୁ ରାଷ୍ଟ୍ରମାନଙ୍କ ଉପଗ୍ରହକୁ ଧ୍ବଂସ କରିବାର କ୍ଷମତା ହାସଲ କରିଥିବାରୁ ଏହା ଚୀନ୍ ଏବଂ ପାକିସ୍ତାରେ କମ୍ପନ ସୃଷ୍ଟି କରିଛି। ଭାରତ ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ର ନିର୍ମାଣ କରିଥିବାରୁ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ପ୍ରୟୋଗ କ୍ଷେତ୍ରରେ ବିଶେଷ ପ୍ରତିବନ୍ଧକ ରହିବନାହିଁ। ଚୀନ୍ ଆମେରିକା ଏବଂ ରୁଷ୍ ସହ ତାଳଦେଇ ମହାକାଶରେ ମାରକ କ୍ଷମତା ବଢ଼ାଇ ଚାଲିଥିବାରୁ ଭାରତ ଉଚିତ ସମୟରେ ଏକ ବଡ଼ ପଦକ୍ଷେପ ନେଇ ଏ କ୍ଷେତ୍ରରେ ସନ୍ତୁଳନ ଆଣିବାରେ ସଫଳ ହୋଇଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଭାରତ ଅନ୍ୟ କୌଣସି ରାଷ୍ଟ୍ରର ଉପଗ୍ରହକୁ ଟାର୍ଗେଟ୍ କରିନାହିଁ ଏବଂ ନିଜର ଏକ ସେବା ରହିତ ଉପଗ୍ରହକୁ ନଷ୍ଟ କରି ନିଜର ଲକ୍ଷ୍ୟ ସାଧନ କରିଛି। ଡିଆର୍ଡିଓର ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଦ୍ବାରା ଭାରତ ଏହି ସଫଳତା ପାଇଛି।