ରାମ ମନ୍ଦିର ନିର୍ମାଣ ଆରମ୍ଭ ବିଷୟରେ ‘ଅବାନ୍ତର’ ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ବେଳେ ଭାରତର ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରି ହିନ୍ଦୁତ୍ବ ଲକ୍ଷ୍ୟକୁ ଅଗ୍ରଗାମୀ କରାଉଛି ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ଅଭିଯୋଗକୁ ଭାରତ ତୀବ୍ର ସମାଲୋଚନା କରିଛି।

ଏଭଳି ମନ୍ତବ୍ୟକୁ ଗୁରୁତ୍ବର ସହ ଗ୍ରହଣ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏ ବିଷୟରେ ପାକିସ୍ତାନର କୌଣସି ଆଇନଗତ ଅଧିକାର ନାହିଁ।

ଶ୍ରୀବାସ୍ତବ କହିଛନ୍ତି, ଆଇନଗତ ଅଧିକାର ନ ଥିବା ଗୋଟାଏ ବିଷୟରେ ପାକିସ୍ତାନର ମନ୍ତବ୍ୟ ଆମ ଦୃଷ୍ଟିକୁ ଆସିଛି। ମନେରଖନ୍ତୁ, ଏବେ ସଂଖ୍ୟାଲଘୁ ପ୍ରସଙ୍ଗ ଉଲ୍ଲେଖ କରିବା ମଧ୍ୟ ପାକିସ୍ତାନ ପାଇଁ ଲଜ୍ଜାକର। ଯଦିବା ପାକିସ୍ତାନ ସଂଖ୍ୟାଲଘୁ ପ୍ରସଙ୍ଗ ଉଲ୍ଲେଖ କରେ, ସେଠାକାର ସଂଖ୍ୟାଲଘୁଙ୍କ ସଂଖ୍ୟା କେବେ ମିଛ କହିବ ନାହିଁ।

Image Source: Times Now

ଭାରତ ହେଉଛି ଆଇନରେ ଚାଲୁଥିବା ଦେଶ। ଏଠାରେ ସବୁ ଧର୍ମବିଶ୍ବାସୀଙ୍କୁ ସମାନ ଅଧିକାର ମିଳେ। ଫରକ ଜାଣିବାକୁ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ସମୟ ନେଇ ନିଜ ସମ୍ବିଧାନ ଅଧ୍ୟୟନ କରିପାରନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, ବୁଧବାର ଦିନ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ମନ୍ତବ୍ୟରେ କହିଥିଲା, ୨୦୨୦ ମେ ୨୬ ତାରିଖରେ ଅଯୋଧ୍ୟାର ଐତିହାସିକ ବାବ୍ରି ମସ୍‌ଜିଦ୍ ଥିବା ସ୍ଥାନରେ ଏକ ମନ୍ଦିର ନିର୍ମାଣ ଆରମ୍ଭ କରିବା ହେଉଛି ଏ ଦିଗରେ ଅନ୍ୟ ଏକ ପଦକ୍ଷେପ। ପାକିସ୍ତାନ ସରକାର ଓ ପାକିସ୍ତାନବାସୀ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି।

ସମ୍ବନ୍ଧିତ ଖବର