ସୀମାରେ  ଶକ୍ତି ବଢେଇଚାଲିଛନ୍ତି  ଚୀନ ଓ ଭାରତ,  ସ୍ୱତନ୍ତ୍ର ପାହାଡି ସେନାକୁ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଗତ ବର୍ଷ ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଏବର୍ଷ ନଥିଲେ ମଧ୍ୟ ଉଭୟ ପକ୍ଷ ସୀମାରେ ନିଜ ନିଜର ଶକ୍ତି ବୃଦ୍ଧି କରିଚାଲିଛନ୍ତି । ଉଭୟ ଦେଶ ଧୀରେ ଧୀରେ ନିଜର ସୈନ୍ୟ ଓ ସାମରିକ ସରଞ୍ଜାମ ଠୁଳ କରିବାରେ ଲାଗିଛନ୍ତି । ଏହା ଭବିଷ୍ୟତର ଏକ ବଡ଼ ଘଟଣା ଆଡକୁ ଇଙ୍ଗିତ କରୁଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସାମରିକ ବିଶେଷଜ୍ଞ ।

ଚୀନକୁ ଲାଗିଥିବା ଭାରତର ଉତ୍ତର ଓ ଉତ୍ତର-ପୂର୍ବ ସୀମାରେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି ଚୀନ ସେନା । ଚୀନ ମଧ୍ୟ ଭାରତକୁ ଲାଗିଥିବା ସୀମାରେ ନିଜର ସାମରିକ ଭିତ୍ତିଭୂମି ଓ ସୈନ୍ୟ କ୍ଷମତାକୁ ବଢାଉଛି । ଏସବୁର ମୁକାବିଲା ଲାଗି ନିଜର ସୀମା ସୁରକ୍ଷା ବାହିନୀଗୁଡ଼ିକର ଶକ୍ତି ବୃଦ୍ଧି କରିବାକୁ ସରକାର ପଦକ୍ଷେପ ନୋଉଛନ୍ତି । ଲଦାଖରେ ଚୀନକୁ ଲାଗିଥିବା ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ କରିବାକୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ  ୧୭-ମାଉଣ୍ଟେନ ଷ୍ଟ୍ରାଇକ କୋର୍‌ର ଜଓ୍ଵାନ ମାନଙ୍କୁ ମୁତୟନ କରାଯାଇଛି । ଏହା ସହିତ ଯୁଦ୍ଧ ହେବା କ୍ଷେତ୍ରରେ କମ ସମୟରେ ସେନା ମୃତୟନ କରିବାକୁ ଏ ଅଂଚଳରେ ସାମରିକ ଭିତ୍ତିଭୂମି ଯଥା ବଙ୍କର, ରାସ୍ତା, ହେଲିପ୍ୟାଡ ଆଦି ନିର୍ମାଣ କରାଯାଉଛି । ଚୀନ ସୀମାରେ ମଧ୍ୟ ପାଟ୍ରୋଲିଂକୁ ବଢାଇଛି ଭାରତୀୟ ସେନା । ଅନ୍ୟପକ୍ଷରେ ଉତ୍ତରପୂର୍ବ ଭାରତରେ ମଧ୍ୟ ରାସ୍ତା ନିର୍ମାଣ କରାଯାଉଛି ଓ ଲଢୁଆ ସୁଖୋଇ ବିମାନ ମୃତୟନ କରାଯାଇଛି ।

ଗତ କାଲି ଚୀନର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଭାରତକୁ ଲାଗିଥିବା ସୀମାରେ ନିଜର  ପ୍ରହରା ବ୍ୟବସ୍ଥାକୁ ଆହୁରି ବଢାଇଦେଇଛି ଚୀନ । ଭାରତପଟୁ ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଚୀନ ପକ୍ଷରୁ ଏକ ଉପଗ୍ରହ ଭିତ୍ତିକ ସତର୍କ ବ୍ୟବସ୍ଥା ବା ସାଟେଲାଇଟ୍‌ ଓ୍ଵାର୍ଣିଂ ସିଷ୍ଟମର ସ୍ଥାପନା କରାଯାଉଛି । ଏହା ଦ୍ୱାରା ଭାରତ ପକ୍ଷରୁ ହେବାକୁ ଥିବା ଯେକୌଣସି କାର୍ଯ୍ୟକଳାପକୁ ଆଗୁଆ ଜାଣିପାରିବ ଚୀନ  ସେନା । ଦୁର୍ଗମ ଅଂଚଳ ଯେଉଁଠାରେ ପାଟ୍ରୋଲିଂ କରିବା କଷ୍ଟକର ସେଠାରେ ଏହା ବେଶ ଉପଯୋଗୀ ହୋଇପାରିବ । କେବଳ ଏତିକି ନୁହେଁ ଚୀନ-ଭାରତ ସୀମାରେ ଥିବା  ପାଙ୍ଗଙ୍ଗ୍‌ ହ୍ରଦରେ ଚୀନ ପକ୍ଷରୁ ଦ୍ରୁତଗାମୀ ପାଟ୍ରୋଲିଂ ବୋଟ ମୃତୟନ କରାଯାଇଛି ।

 

 

ସମ୍ବନ୍ଧିତ ଖବର