ଏକବିଂଶ ଶତାବ୍ଦୀ ଭାରତର, ମାତ୍ର ଅନ୍ୟ ଦେଶର ଭୂମି ଓ ସମ୍ବଳ ଉପରେ ଆମର ନଜର ନାହିଁ : ପ୍ରଧାନମନ୍ତ୍ରୀ

ବିଶ୍ୱ ଦୃଷ୍ଟିକୋଣରେ ଭାରତ ପ୍ରତି ସକାରାତ୍ମକ ପରିବର୍ତ୍ତନ ହୋଇଛି

ନୂଆଦିଲ୍ଲୀ: ଆଜି ପ୍ରବାସୀ ଭାରତୀୟ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ପ୍ରବାସୀ ଭାରତୀୟ ସାଂସଦମାନଙ୍କ ସମ୍ମିଳନୀ ଆରମ୍ଭ ହୋଇଛିି। ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ୨୩ଟି ଦେଶରେ ସାଂସଦ ଭାବେ ବିଜୟୀ ହୋଇଥିବା ୧୨୪ ଜଣ ସାଂସଦ, ୧୭ ଜଣ ମେୟର ଯୋଗ ଦେଇଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେ ପ୍ରବାସୀ ଭାରତୀୟମାନେ ଯେତେବେଳେ ଅନ୍ୟ ଦେଶରେ ପ୍ରତିକ୍ଷେତ୍ରରେ ସଫଳତା ପାଆନ୍ତି ଓ ଅନ୍ୟଦେଶରେ ନୀତି ନିର୍ଦ୍ଧାରଣରେ ସାମିଲ ହୁଅନ୍ତି, ଏଠାରେ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରନ୍ତି। ଆଜି ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମନିଟାରୀ ଅର୍ଗନାଇଜେସନ୍‌ ପରି ସଂସ୍ଥା ଭାରତ ଆଡ଼କୁ ସକରାତ୍ମକ ନଜରରେ ଚାହୁଁଛନ୍ତି। ଭାରତରେ ପୂର୍ବରୁ ଯେମିତି ଥିଲା, ସେମିତି ଚାଲୁଥାଉ ନୀତିର ପରିବର୍ତ୍ତନ ଘଟିଛି। ଭାରତ ପରିବର୍ତ୍ତିତ ହେଉ ଥିବାର ବିଶ୍ୱ ସମୁଦାୟର ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନ ଘଟିଛି।

ଏକବିଂଶ ଶତାବ୍ଦୀ କାରୀଗରି ବିଜ୍ଞାନର ବିକାଶ ସହିତ ଯୋଗାଯୋଗ ଓ ପରିବହନର ବିକାଶକୁ ଗୁରୁତ୍ୱ ଦେଉଛି। ତେଣୁ ରେଲେଓ୍ଵ ଟ୍ରାକ, ହାଇେଓ୍ଵ ସହିତ ଶକ୍ତି ଉତ୍ପାଦନକୁ ଭାରତ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଆରମ୍ଭ କରିଛି। ଦେଶର ୧୦ କୋଟି ଲୋକଙ୍କୁ ମୁଦ୍ରା ବ୍ୟାଙ୍କ ଜରିଆରେ ଋଣ ଯୋଗାଇ ଦିଆଯାଇ ସେମାନଙ୍କୁ ଆତ୍ମନିଭରଶୀଳ ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।ଦେଶର ପ୍ରତି କ୍ଷେତ୍ରରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିବା ସହିତ ପ୍ରବାସୀ ଭାରତୀୟମାନେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଏସୀୟ ଶତାବ୍ଦୀ ହେବ ଓ ଏଥିରେ ଭାରତ ପ୍ରମୁଖ ଭୂମିକା ତୁଲାଇବ । ତେବେ ଭାରତ ମହାତ୍ମାଗନ୍ଧୀଙ୍କ ମାର୍ଗରେ ପରିଚାଳିତ। ଅନ୍ୟ ଦେଶରେ ଭୂଭାଗ ଉପରେ ଭାରତ ନଜର ପକାଏ ନାହିଁ କିମ୍ବା ସେ ଦେଶର ସମ୍ବଳ ହାତେଇବା ପାଇଁ ଉଦ୍ୟମ କରେ ନାହିଁ। ମୌଳବାଦୀ ଚିନ୍ତାଧାରର ମୁକାବିଲା ପାଇଁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଦର୍ଶିତ ଅହିଂସା ଅସ୍ତ୍ର ଯଥେଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ମୋଦି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ପ୍ରବାସୀ ଭାରତୀୟମାନଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି।

ପ୍ରାରମ୍ଭରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୟ ସ୍ତରରେ ଭାରତର ଗାରିମା ବୃଦ୍ଧି କରିଛନ୍ତି। ଅଟଳ ବିବାହରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୦୩ ମସିହାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀ ଜାନୁଆରି ୯ ତାରିଖ ଦିନ ଭାରତ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଦିନକୁ ସ୍ମରଣୀୟ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର