ଶ୍ରୀଲଙ୍କାରେ ଚୀନ ରଣନୀତିକୁ ପଣ୍ଡ କରିବେ ଭାରତ, ଜାପାନ ଓ ଆମେରିକା, କିପରି ଜାଣନ୍ତୁ

କଲମ୍ବୋ : ଚୀନ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରକୁ ଅକ୍ତିଆର କରିବା ପରେ ଭାରତ ମହାସାଗରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ଚୀନ ସାଗର ପରି ଏ ଅଂଚଳରେ ମଧ୍ୟରେ ଚୀନ ଦାଦାଗିରି ଦେଖାଇବ ବୋଲି ଭାରତ, ଜାପାନ ଓ ଆମେରିକା ପରି ଦେଶ ଆଶଙ୍କା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି ଏହି ତିନି ଦେଶ । ଏହି ଯୋଜନା ଅନୁସାରେ ଶ୍ରୀଲଙ୍କାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ତ୍ରିକୋମାଲି ବନ୍ଦରର ବିକାଶ କରିବା ଓ ସେଠାରେ ନିଜର ନୌସେନାର ଉପସ୍ଥିତି ରଖିବା । ଚଳିତ ମାସରେ ଉଭୟ ଆମେରିକା ଓ ଜାପାନର ବରିଷ୍ଠ ସାମରିକ ଅଧିକାରୀମାନେ ଶ୍ରୀଲଙ୍କା ଗ୍ରସ୍ତ କରିଛନ୍ତି । ଭାରତ ମଧ୍ୟ ନିୟମିତଭାବେ ଶ୍ରୀଲଙ୍କା ସରକାରଙ୍କ ସହ ଯୋଗାଯୋଗ ରଖିଛି । ଏହି ଯୋଜନା ସଫଳ ହେଲେ ଚୀନର ରଣନୀତିକୁ ପଣ୍ଡ କରିବାରେ ଏହା ଏକ ବଡ଼ ସଫଳତା ହେବ । ସୂଚନାଯୋଗ୍ୟ ହାମ୍ବନତୋଟା ବନ୍ଦରର ପରିଚାଳନା ପାଇଁ ଶ୍ରୀଲଙ୍କା ଚୀନକୁ ୯୯ ବର୍ଷିଆ ଲିଜ ସୁତ୍ରରେ ପ୍ରଦାନ କରିଛି । ଶ୍ରୀଲଙ୍କା ସରକାର ଚୀନଠାରୁ ଆଣିଥିବା ୧ ବିଲିୟନ ଡଲାର (୧୦୦ କୋଟି ଡଲାର) ପରିଶୋଧ କରିପାରୁନଥିବାରୁ ଚୀନ ହାତକୁ ଏହି ବନ୍ଦରକୁ ଟେକି ଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍‌ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ ।

ସମ୍ବନ୍ଧିତ ଖବର