ଭାରତ ହାତକୁ ଆସିଲା ପ୍ରଥମ ରାଫେଲ ଲଢୁଆ ବିମାନ

ପ୍ୟାରିସ : ଭାରତୀୟ ବାୟୁସେନା ଆଜି ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛି । ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିଛନ୍ତି ଓ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି । ସେ ମଧ୍ୟ ଏହି ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିଲେ ।
ତେବେ ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ । ଏହି ସମାରୋହ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଗସ୍ତରେ ଯିବେ ।

ଏହି ବିମାନର ଟେଲ ନମ୍ବର ରହିଛି ଆରବି-୦୦୧ । ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ଆରକେ ଭଦୁରିଆଙ୍କ ନାଁରେ ଏହି କୋଡ ନମ୍ବର ଦିଆଯାଇଛି । ଆରକେ ଭଦୁରିଆ ହିଁ ରାଫେଲ ଚୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।

ସମ୍ବନ୍ଧିତ ଖବର