ଶ୍ରୀଲଙ୍କାକୁ ତିନି ଥର ସତର୍କ କରିଥିଲା ଭାରତ

8ବାଂଲାଦେଶ ମଧ୍ୟ ଟାର୍ଗେଟ୍‌ରେ 8ଏନ୍‌ଟିଜେ ନେତା ହାସିମ୍‌ ନିହତ 8ମୃତ୍ୟୁ ସଂଖ୍ୟା ୩୫୯

ନୂଆଦିଲ୍ଲୀ: ଗତ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ବିଷୟରେ ଭାରତ ଶ୍ରୀଲଙ୍କାକୁ ତିନି ଥର ସତର୍କ ସୂଚନା ଦେଇଥିଲା। ଶେଷ ସୂଚନା, ପ୍ରଥମ ବିସ୍ଫୋରଣର ମାତ୍ର ଦୁଇ ଘଣ୍ଟା ଆଗରୁ ଭାରତର ଗୁଇନ୍ଦା ବିଭାଗ ତରଫରୁ ଶ୍ରୀଲଙ୍କା ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଥିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ ସ୍ୱୀକାର କରିଛନ୍ତି। ଭାରତ ପକ୍ଷରୁ ନିର୍ଦିଷ୍ଟ ଗୁଇନ୍ଦା ସୂଚନା ଦିଆଯାଇଥିଲେ ମଧ୍ୟ ଉଚିତ ପଦକ୍ଷେପ ନିଆଯାଇପାରିନଥିଲା ବୋଲି ସେ କହିଛନ୍ତି। ବିକ୍ରମାସିଙ୍ଘେ ଏକ ସାକ୍ଷାତକାରରେ କହିଛନ୍ତି, ଭାରତର ଗୁଇନ୍ଦା ଅଧିକାରୀମାନେ ପ୍ରଥମ ଆତ୍ମଘାତୀ ବିସ୍ଫୋରଣର ଦୁଇ ଘଣ୍ଟା ଆଗରୁ ସତର୍କ କରାଇଥିଲେ। ତେବେ ଉକ୍ତ ତଥ୍ୟକୁ ଉପ‌େଯାଗ କରାଯାଇ ଆତଙ୍କବାଦୀ ଆକ୍ରମଣକୁ ରୋକାନଯିବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ଭାରତ ପ୍ରଥମେ ଏପ୍ରିଲ ୪ରେ ଶ୍ରୀଲଙ୍କାକୁ ଆତ୍ମଘାତୀ ଆକ୍ରମଣ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଥିଲା। ବିସ୍ଫୋରଣର ଠିକ ଦିନକ ଆଗରୁ ଦ୍ବିତୀୟ ଥର ସତର୍କ ସୂଚନା ଦିଆଯାଇଥିବା ପ୍ରକାଶ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏକ ନିର୍ଦିଷ୍ଟ ତଥ୍ୟକୁ ଆଧାର କରି ଭାରତ ତରଫରୁ ଶ୍ରୀଲଙ୍କାକୁ ସମ୍ଭାବ୍ୟ ଆକ୍ରମଣ ବିଷୟରେ ଅବଗତ କରାଯାଇଥିଲାI ଇସ୍ଲାମିକ ଷ୍ଟେଟ୍‌ ବା ଆଇଏସ୍ କୋଏମ୍ବାଟୁର ମୋଡେଲ ଉପରେ ବିଶେଷ ଅନୁସନ୍ଧାନ ବେଳେ ଏନ୍‌ଆଇଏ ୨୦୧୮ ଡିସେମ୍ବରରେ ନେସ୍‌ନାଲ ତୋହିଦ ଜମାତ୍ (ଏନ୍‌ଟିଜେ)ର ନେତା ମୌଲବୀ ଜ଼ହରନ ବିନ୍‌ ହାସିମ୍‌ଙ୍କ ଭିଡିଓ ଜବତ କରିବା ପରେ ଏଭଳି ଆତ୍ମଘାତୀ ଆକ୍ରମଣ ବିଷୟରେ ତଥ୍ୟ ହାସଲ କରିଥିଲା। ହାସିମ୍‌ଙ୍କ ଉକ୍ତ ଭିଡିଓଗୁଡିକ ଚେନ୍ନାଇ, କୋଏମ୍ବାଟୁର ଏବଂ ତିଂଡିଭନମ୍‌ରେ ଚଢ଼ାଉ ବେଳେ ଜବତ ହୋଇଥିଲା। କୋଏମ୍ବାଟୁରର ହିନ୍ଦୁ ନେତାଙ୍କୁ ଆକ୍ରମଣ ଯୋଜନା କରୁଥିବା ଆଇଏସ୍‌ର ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳରୁ ଜବତ ହୋଇଥିବା ଉକ୍ତ ଭିଡିଓଗୁଡିକୁ ଏନ୍‌ଆଇଏ ବ୍ୟତୀତ ଭାରତର ଗୁଇନ୍ଦା ସଂସ୍ଥା ର’ ମଧ୍ୟ ଯାଞ୍ଚ କରିଥିଲା। ଉକ୍ତ ଭିଡିଓରୁ ଜଣାପଡିଥିଲା ହାସିମ୍‌ ଶ୍ରୀଲଙ୍କା, ତାମିଲନାଡୁ ଏବଂ କେରଳର ଯୁବକମାନଙ୍କୁ ଉକ୍ତ ଅଂଚଳରେ ଇସ୍ଲାମିକ ଶାସନ ପ୍ରତିଷ୍ଠା ପାଇଁ ସଂଗଠିତ କରୁଥିଲା। ହାସିମ୍‌ ଉକ୍ତ ଭିଡିଓରେ କିଛି ବଡ ଧରଣର ଅଘଟଣ ବିଷୟରେ ବାରମ୍ବାର କହୁଥିଲା। ସେ ଭାରତ ବ୍ୟତୀତ ଶ୍ରୀଲଙ୍କା ଏବଂ ବାଂଲାଦେଶର ଆଇଏସ୍‌ ସଦସ୍ୟଙ୍କ ସହ ଯୋଗାଯୋଗରେ ରହୁଥିବା ଜଣାପଡ଼ିଥିଲାI ହାସିମ୍‌ ଇଷ୍ଟର ଦିନ ହୋଇଥିବା ସାଙ୍ଗ୍‌ରି-ଲା ହୋଟେଲ ଆତ୍ମଘାତୀ ବିସ୍ଫୋରଣରେ ନିହତ ହୋଇଛି।

ସମ୍ବନ୍ଧିତ ଖବର