ଭାରତର ପ୍ରତିରକ୍ଷା ବ୍ୟୟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟପିଲା, ବିଶ୍ୱର ସର୍ବାଧିକ ସାମରିକ ବ୍ୟୟକାରୀ ଦେଶଙ୍କ ମଧ୍ୟରେ ୫ମ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟପିଛି । ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ସରକାର ଏକ ବଡ଼ ଧରଣର ଆଧୁନିକୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି । ଗତ ବର୍ଷ ଭାରତର ପ୍ରତିରକ୍ଷା ବ୍ୟୟ ବରାଜରେ ସାମାନ୍ୟ ବୃଦ୍ଧି ହୋଇଥିବାରୁ ସରକାର ଅନେକ ସମାଲୋଚନା ସହିଥିଲେ । କିନ୍ତୁ ଏହି ବୃଦ୍ଧି ସହ ଭାରତ ବିଶ୍ୱର୫ ଟି ପ୍ରମୁଖ ସର୍ବାଧିକ ପ୍ରତିରକ୍ଷା ବ୍ୟୟକାରୀ ଦେଶରେ ପରିଣତ ହୋଇଛି ।

କିନ୍ତୁ ନିୟମିତଭାବେ ଭାରତର ସାମରିକ ଖର୍ଚ୍ଚ ବୃଦ୍ଧିକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡିଛି । ଭାରତର ବଢିଚାଲିଥିବା ପ୍ରତିରକ୍ଷା ବଜେଟ ସମଗ୍ର ଦକ୍ଷିଣ ଏସିଆର ଭାରସାମ୍ୟକୁ ନଷ୍ଟ କରୁଛି ଓ ଏଥିପାଇଁ ପଡୋଶୀ ଦେଶମାନଙ୍କ ପାଇଁ ବିପଦ ମାଡିଆସୁଛି ବୋଲି ପାକିସ୍ତାନ ତରଫରୁ ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ କିଛିମାସ ତଳେ ଅଭିଯୋଗ କରାଯାଥିଲା । ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରିପୋର୍ଟ ଅନୁସାରେ ୨୦୧୭ରେ ବିଶ୍ୱର ସାମରିକ ବଜେଟ ପ୍ରାୟ ୧.୧ ପ୍ରତିଶତ ବଢି ୧.୭୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ପ୍ରତିରକ୍ଷା ବ୍ୟୟ ଦୃଷ୍ଟିରୁ ଆମେରିକା ନଂ୧ ସ୍ଥାନରେ ଥିବାବେଳେ ତାପଛକୁ ଚୀନ, ସାଉଦି ଆରବ ଓ ଋଷିଆ ଅଛନ୍ତି । ୫ମ ସ୍ଥାନରେ ଭାରତ ରହିଛି । ଏହି ୫ଟି ଦେଶ ବିଶ୍ୱର ମୋଟ ସାମରିକ ବଜେଟର ୬୦ ପ୍ରତିଶତ ବ୍ୟୟ କରୁଛନ୍ତି । ୨୦୧୭ରେ ଭାରତର ପ୍ରତିରକ୍ଷା ବ୍ୟୟ ୫.୫ ପ୍ରତିଶତ ବୃଦ୍ଧି ପାଇ ୬୩.୯ ବିଲିୟନ ଡଲାର ଛୁଇଁଥିଲା ।

ସମ୍ବନ୍ଧିତ ଖବର