ମାନବ ବିକାଶ ସୂଚକାଙ୍କରେ ଗୋଟିଏ ସୋପାନ ଉପରକୁ ଉଠି ୧୨୯ତମ ସ୍ଥାନରେ ପହଞ୍ଚିଲା ଭାରତ : ୟୁଏନଡିପି ରିପୋର୍ଟ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ( ୟୁଏନଡିପି)ଦ୍ୱାରା ପ୍ରକାଶିତ ମାନବ ବିକାଶ ସୂଚକାଙ୍କ-୨୦୧୯ରେ ଭାରତ ଗୋଟିଏ ସୋପାନ ଉପରକୁ ଉଠି ୧୨୯ତମ ସ୍ଥାନରେ ପହଞ୍ଚିଛି । ଗତବର୍ଷ ଭାରତ ୧୩୦ତମ ସ୍ଥାନରେ ଥିଲା ।

୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ପ୍ରାୟ ୨୭.୧ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଭାରତ ଗତ କିଛିବର୍ଷ ହେଲା ଦ୍ରୁତ ଗତିରେ ନିଜର ମାନବ ବିକାଶ ସୂଚକାଙ୍କରେ ଉନ୍ନତି କରିଚାଲିଛି ବୋଲି ୟୁଏନଡିପିର ଭାରତ ପ୍ରତିନିଧି ସୋକୋ ନୋଡା କହିଛନ୍ତି । ସେ କହିଛନ୍ତି ଯେ ଗତ ତିନି ଦଶନ୍ଧି ଧରି ହୋଇଥିବା ଦ୍ରୁତ ବିକାଶ ଲାଗି ଭାରତରେ ଦାରିଦ୍ର୍ୟ ହ୍ରାସ ପାଉଛି । ଭାରତରେ ଦାରିଦ୍ର୍ୟ ହ୍ରାସ ପାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ହାରାହାରି ଆୟୁଷରେ ଉନ୍ନତି ଆସୁଛି ।

ଭାରତର ଅନ୍ୟ ପଡ଼ୋଶୀ ଦେଶ ବାଂଲାଦେଶ, ଭୁଟାନ ଓ ପାକିସ୍ତାନ ଯଥାକ୍ରମେ ୧୩୪, ୧୩୫ ଓ ୧୫୨ତମ ସ୍ଥାନରେ ରହିଛନ୍ତି । କିନ୍ତୁ ଶ୍ରୀଲଙ୍କା ୭୧ତମ ସ୍ଥାନରେ ଓ ଚୀନ ୮୫ ତମ ସ୍ଥାନରେ ରହିଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ନରେଓ୍ଵ ରହିଥିବାବେଳେ ଶେଷ ଅର୍ଥାତ ୧୮୯ତମ ସ୍ଥାନରେ ନାଇଜର ରହିଛି ।

ୟୁଏନଡିପି ରିପୋର୍ଟ ଅନୁସାରେ ବିଶ୍ୱର ଅନ୍ୟକୌଣସି ଅଞ୍ଚଳରେ ଏତେ ଦ୍ରୁତ ଗତିରେ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ହୋଇପାରିନାହିଁ । ୧୯୯୦ରୁ ୨୦୧୮ ମଧ୍ୟରେ ଦକ୍ଷିଣ ଏସିଆ ସର୍ବାଧିକ ୪୬ ପ୍ରତିଶତ ହାରରେ ବିକାଶ ହାସଲ କରିଥିବାବେଳେ ତା’ତଳକୁ ରହିଛି ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯାହାକି ୪୩ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି ।

ସମ୍ବନ୍ଧିତ ଖବର