ଡୋକଲାମରେ ସୈନ୍ୟ ମୁତୟନ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ଭାରତ-ଭୁଟାନ-ଚୀନ୍‌ ସୀମାର ବିବାଦୀୟ ଡୋକଲାମ ଅଂଚଳରେ ଚୀନ୍‌ ପୁଣି ନୂଆ ରାସ୍ତା ନିର୍ମାଣ କରି ସଙ୍କଟ ସୃଷ୍ଟି କରିବା ସହ ସୈନ୍ୟ ସଂଖ୍ୟା ବଢ଼ାଉଥିବାରୁ ଭାରତ ଏହାର ଜବାବରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଡୋକଲାମରେ ଚୀନ୍‌ ସେନାର ସୈନ୍ୟ ଉପସ୍ଥିତି ସହିତ ତାଳ ଦେଇ ସେହି ପରିମାଣରେ ସଶସ୍ତ୍ର ସୀମା ବଳ (ଏସ୍‌୍‌ଏସ୍‌ବି) ଯବାନଙ୍କୁ ମୁତୟନ କରାଯାଇଛି । ଏହା ସହିତ ସୀମାରେ ଅଧିକ ବୋର୍ଡର ପୋଷ୍ଟ୍‍ ଖୋଲିବାକୁ ସରକାର ମଂଜୁରି ଦେଇଛନ୍ତି। ୬୯୯ କିମି ବ୍ୟାପୀ ଭାରତ ଭୁଟାନ ସୀମାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯିବାକୁ ପଦକ୍ଷେପ ଆରମ୍ଭ ହୋଇସାରିଛି ବୋଲି ଏସ୍‌ଏସ୍‌୍‌ବି ମହାନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ର କହିଛନ୍ତି।

ବିଗତ ୨ ମାସ ମଧ୍ୟରେ ଚୀନ୍‌ ସେନା ଯୁଦ୍ଧକାଳୀନ ଭିତ୍ତିରେ ଡୋକଲାମ ଅଂଚଳରେ ରାସ୍ତା ନିର୍ମାଣ କରିଥିବା ଉପଗ୍ରହ ଛବି ଅନୁଧ୍ୟାନରୁ ଜଣାପଡ଼ିବା ପରେ ଭାରତ ତା’ର ଆଭିମୁଖ୍ୟ ବଦଳାଇଛି। ଚଳିତ ବର୍ଷ ଡୋକଲାମରେ ଚୀନ୍‌ର ସୈନ୍ୟଠୁଳକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘ ୭୦ ଦିନ ଧରି ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ବେଳେ ଶେଷରେ ଭାରତର ସଫଳ ରଣନୀତି ଯୋଗୁଁ ଚୀନ୍‌ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା। ଏବେ ପୁଣିଥରେ ବିବାଦୀୟ ଅଂଚଳରେ ରାସ୍ତା ନିର୍ମାଣ କରି ଚୀନ୍‌ ନିଜର ବିସ୍ତାରବାଦୀ ଯୋଜନାକୁ ସାକାର କରିବାକୁ ଚାହୁଛି। ବିବାଦୀୟ ଅଂଚଳରୁ ପଶ୍ଚିମ ପଟକୁ ୪.୫ କିଲୋମିଟର ନୂଆ ରାସ୍ତା ହୋଇଥିବା ଜଣାପଡ଼ିଛି। ଡୋକାଲାରେ ଥିବା ଭାରତୀୟ ସେନାର ପୋଷ୍ଟ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିଥିବା ଜଣାପଡ଼ିଛି। ଆଉ ଏକ ରାସ୍ତା ବିବାଦୀୟ ସ୍ଥଳରୁ ଉତ୍ତର ଆଡ଼କୁ ଲମ୍ବିଛି ଏବଂ ଏହାର ଲମ୍ବ ୧.୨ କିଲୋମିଟର ରହିଛି। ବିବାଦୀୟ ଅଂଚଳର ୧୦ କିମି ଭିତରେ କୌଣସି ରାସ୍ତା ନିର୍ମାଣ ନ କରିବା ପାଇଁ ଭାରତ କଡ଼ା ସର୍ତ୍ତ ରଖିଥିବା ସତ୍ତ୍ୱେ ଚୀନ୍‌ ଏହାକୁ ଉଲ୍ଲଂଘନ କରି ରାସ୍ତା ନିର୍ମାଣ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ଡୋକଲାମରେ ସୈନ୍ୟ ମୁତୟନ ବଢ଼ାଇ ଦେଇଛି।

ଶୀତଋତୁ ସରିବା ପର୍ଯ୍ୟନ୍ତ ଚୀନ୍‌ ସେନା ବିବାଦୀୟ ଅଂଚଳରେ ରହିବା ସ୍ପଷ୍ଟ ହୋଇଯାଇଥିବାରୁ ଭାରତ ମଧ୍ୟ ପ୍ରତିକୂଳ ପରିସ୍ଥିତି ଭିତରେ ବି ନିଜ ଶକ୍ତି ବୃଦ୍ଧିରେ କୌଣସି ସାଲିସ କରିନାହିଁ। ଆସନ୍ତା ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନର ଷ୍ଟେଟ୍‌ କାଉନ୍‌ସିଲର ୟାଙ୍ଗ୍‌ ଜିଏଚିଙ୍କ ମଧ୍ୟରେ ୨୦ତମ ଭାରତ-ଚୀନ୍‌ ସୀମା ବିବାଦ ଆଲୋଚନା ହେବାକୁ ଯାଉଛି। ଡୋକଲାମ ବିବାଦର ଅବସାନ ଘଟିବାପରେ ଏହା ଦୁଇପକ୍ଷ ମଧ୍ୟରେ ପ୍ରଥମ ପ୍ରତିନିଧିସ୍ତରୀୟ ଆଲୋଚନା।

ସମ୍ବନ୍ଧିତ ଖବର