ଜବାବ ଦେବାକୁ ସଜବାଜ

ଅରୁଣାଚଳ ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ଇଟାନଗର : ସୀମା ସେପାଖେ ଚୀନ୍‌ ବଢ଼ାଇ ଚାଲିଥିବା ଦାଦାଗିରିର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ। ବିବାଦୀୟ ଡୋକଲାମ୍‌ କ୍ଷେତ୍ରରେ ଚୀନ୍‌ ସେନା ନିର୍ମାଣ କରୁଥିବା ସ୍ଥାୟୀ ଶିବିର, ସୁଡ଼ଙ୍ଗ ଏବଂ ବିମାନ ଅବତରଣ କେନ୍ଦ୍ର ଆଦିକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ବିଭାଗ ଏପଟେ ଅରୁଣାଚଳ ପ୍ରଦେଶ ସୀମାରେ ମୁତୟନ କରିଥିବା ସୈନ୍ୟ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି କରିଛି। ବିଶେଷ କରି ଅରୁଣାଚଳ ପ୍ରଦେଶର ଦିବାଙ୍ଗ, ଦଉ-ଦଲେଇ ଏବଂ ଲୋହିତ ଉପତ୍ୟକା ଇଲାକାରେ ବ୍ୟାପକ ସୈନ୍ୟ ମୁତୟନ ସହ ଯୋଗାଯୋଗ ଏବଂ ନିରୀକ୍ଷଣ ପ୍ରଣାଳୀକୁ ମଧ୍ୟ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରାଯାଇଛି। ଏହାଦ୍ୱାରା ସୀମା ସେପାଖେ ଚୀନ୍‌ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ସହ ଆଶୁ ମୁକାବିଲା ପାଇଁ ପଦକ୍ଷେପ ନେଇହେବ ବୋଲି ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି।
ଭାରତୀୟ ପ୍ରତିରକ୍ଷା ବିଭାଗର ଏହି ନୂଆ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚୀନ୍‌ ସେନାର କୌଣସି ସମ୍ଭାବ୍ୟ ଅନୁପ୍ରବେଶକୁ ଆଗତୁରା ପ୍ରତିହତ କରିବା। ବିଶେଷ କରି ଅରୁଣାଚଳ ପ୍ରଦେଶର ଦିବାଙ୍ଗ, ଦଉ-ଦଲେଇ ଏବଂ ଲୋହିତ ଉପତ୍ୟକା ଅଞ୍ଚଳରେ ଭାରତୀୟ ସେନା ନିଜର ଉପସ୍ଥିତିକୁ ଅଧିକ ଶାଣିତ ଏବଂ ପ୍ରଭାବୀ କରିବା। ସତର ହଜାର ଫୁଟ ଉଚ୍ଚରେ ରହିଥିବା ଏହି ବରଫାବୃତ୍ତ ପାର୍ବତ୍ୟାଞ୍ଚଳ ସମେତ ସଂଲଗ୍ନ ନଦୀପଥରେ ଚୀନ୍‌ ସେନାର ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ସେନା ଯାବତୀୟ
ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇ ରହିଛି। ଗତବର୍ଷର ଡୋକଲାମ୍‌ ସ୍ଥିତି ପରଠାରୁ ଭାରତୀୟ ସେନା ଚୀନ୍‌ ସୀମାରେ ଏହାର କାର୍ଯ୍ୟକଳାପକୁ ବହୁଗୁଣିତ କରିଥିବା ଉକ୍ତ ସେନାଧିକାରୀ ସୂଚନା ଦେଇଛନ୍ତି। ସ୍ମରଣଯୋଗ୍ୟ, ଡୋକଲାମ୍‌ରେ ଚୀନ୍‌ ସେନାର ବେଆଇନ ସ୍ଥାୟୀ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗତବର୍ଷ ଜୁନ୍‌ ୨୬ରେ ଉଭୟ ଚୀନ୍‌ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। କୌଣସି ଅଧିକ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବିଶ୍ୱବ୍ୟାପୀ ଏହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଉଭୟ ପକ୍ଷ ସଂଯମ ଅବଲମ୍ବନ କରିବା ସହ ଦ୍ୱିପାକ୍ଷିକ କୂଟନୈତିକ ଆଲୋଚନା ପରେ ଅଗଷ୍ଟ ୨୮ରେ ସ୍ଥିତିରେ ସୁଧାର ଆସିଥିଲା।
ସୂଚନା ଥାଉ କି, ପାକିସ୍ତାନ ସୀମା ଉପରୁ ନଜର ହଟାଇ ଭାରତ ଏବେ ଚୀନ୍‌ ସୀମାରେ କେନ୍ଦ୍ରୀଭୂତ କରୁଥିବା କଥା ସେନାଧ୍ୟକ୍ଷ ବିପିନ୍‌ ରାଓ୍ଵତ ଗତ ଜାନୁଆରି ମାସରେ ଇସାରା ଦେଇଥିଲେ। ଅପରପକ୍ଷେ, ଗତବର୍ଷର ବିବାଦୀୟ ଡୋକଲାମ୍‌ ସ୍ଥଳ ଠାରୁ ଉଭୟ ପକ୍ଷର ସେନା ଅପସରି ଯାଇଛନ୍ତି ବୋଲି ଗତ ୫ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ। ତେବେ ଚୀନ୍‌ ସେନା ଉକ୍ତ ବିବାଦୀୟ କ୍ଷେତ୍ରଠାରୁ କିଛି ଦୂରରେ ହେଲିପ୍ୟାଡ୍‌, ସେନା ଶିବିର ଓ ସୁଡ଼ଙ୍ଗ ତିଆରି କରୁଥିବା କଥା ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କରିଥିଲେ। ଅବଶ୍ୟ ସେଥିପ୍ରତି ଭାରତ ସଜାଗ ରହିଛି ଏବଂ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସୀତାରମଣ ଗତ ୨୫ ତାରିଖରେ ଚେତାଇ ଦେଇଥିଲେ। ନିଜର ସାର୍ବଭୌମତ୍ୱ ଜାହିର କରିବା ଲାଗି ଭାରତୀୟ ସେନା କିଛି ବି କରିପାରେ ବୋଲି ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ପରୋକ୍ଷରେ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଥିଲେ।

ସୁଧୁରୁନି ଚୀନ୍‌ : ସ୍ଥାୟୀ ନିର୍ମାଣରେ ମାତିଛି

ନୂଆଦିଲ୍ଲୀ : ଭାରତର ଅରୁଣାଚଳ ପ୍ରଦେଶ ସୀମାକୁ ଲାଗି ଚୀନ୍‌ ସେନା ଜାରି ରଖିଥିବା ସ୍ଥାୟୀ ନିର୍ମାଣ କାର୍ଯ୍ୟ ଏବେ ଭାରତୀୟ ସେନା ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଗତବର୍ଷର ଅପ୍ରୀତିକର ଡୋକଲାମ୍‌ ପରିସ୍ଥିତି ଅପସରିଯିବା ପରେ ଉଭୟ ପକ୍ଷ ସ୍ୱାଭାବିକ ଭାବେ ସଂଯମ ଅବଲମ୍ବନ କରିବେ ବୋଲି ଆଶା ରଖିଥିଲେ। ଏପରିକି ଆସନ୍ତା ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚୀନ୍‌ ଗସ୍ତ କାର୍ଯ୍ୟକ୍ରମ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଚୀନ୍‌ ସେନା ଅରୁଣାଚଳ ପ୍ରଦେଶର ଅଞ୍ଜୌ ଜିଲ୍ଲା ଅନ୍ତର୍ଗତ କିବିଥୁ ସହରର ଆରପାରି ତାଟୁ ଅଞ୍ଚଳରେ ଔଦ୍ଧତ୍ୟ ଦେଖାଇଛି। ସେଠାରେ ସେନା ଶିବିର ସମେତ ଟେଲିଫୋନ୍‌ ଟାଓ୍ଵାର, ନିରୀକ୍ଷଣ କେନ୍ଦ୍ର ଆଦି ଅନେକ ସ୍ଥାୟୀ ନିର୍ମାଣ ଜାରି ରଖିବା ଘଟଣା ପରିସ୍ଥିତିକୁ ପୁଣି ଗୋଳିଆ କରିଦେଇଛି। ଉଲ୍ଲେଖ ଥାଉ କି, ଦୁଇ ଦେଶର ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଲାଗି ଏଭଳି କିଛି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ଇଲାକା ରହିଛି ଯେଉଁଠି ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଉଭୟ ଦେଶ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ସେଥି ମଧ୍ୟରେ କିବିଥୁ-ତାଟୁ ଇଲାକା ଅନ୍ୟତମ ହୋଇଥିବା ବେଳେ ଚୀନ୍‌ ସେନା ସେସବୁକୁ ଭ୍ରୂକ୍ଷେପ ନକରି ଏପରି ସ୍ଥାୟୀ ନିର୍ମାଣ କରିବା ଘଟଣା ଭାରତକୁ ବିକଳ୍ପ ପନ୍ଥା ଆପଣେଇବା ପାଇଁ ବାଧ୍ୟ କରିଛି।

ସମ୍ବନ୍ଧିତ ଖବର