ଭାରତ ମହାସାଗରରେ ନୂତନ ନୌସେନା ବନ୍ଦର

ଭାରତ-ଇଣ୍ଡୋନେସିଆ ସାମରିକ ରଣନୀତି

ଜକାର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଉପରେ ଚୀନ୍‌, ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ରର ସତର୍କ ନଜର ଥିବା ବେଳେ ଉଭୟ ଭାରତ ଓ ଇଣ୍ଡୋନେସିଆ ସମୁଦ୍ର ପଥରେ ଏବେ ଚୀନ୍‌କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋଙ୍କ ସହ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଆଲୋଚନା ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦକ୍ଷିଣ ଚୀନ ସାଗର ଓ ଅନ୍ୟ ସାମୁଦ୍ରିକ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର କରୁଥିବା ଚୀନ୍‌ ସମଗ୍ର ଦକ୍ଷିଣ ଏସିଆରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଛି। ଏହାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଓ୍ଵିଡୋଡୋ ରଣନୀତି ପ୍ରସ୍ତୁତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମୁଦ୍ରିକ ସହଯୋଗ ସହ ଭାରତ ମହାସାଗରରେ ଏକ ନୂତନ ନୌସେନା ବନ୍ଦର ସ୍ଥାପନ ନିମନ୍ତେ ଦୁଇ ନେତା ଯୋଜନା କରିଛନ୍ତି। ବିଶ୍ୱର ଅନ୍ୟତମ ସାମୁଦ୍ରିକ ବାଣିଜ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ସୁମାତ୍ରା ଓ ସବାଙ୍ଗରେ ସ୍ୱତନ୍ତ୍ର ଅର୍ଥନୀତିକ ଜୋନ୍‌ ସାଙ୍ଗକୁ ଅନ୍ୟ ଉନ୍ନୟନମୂୂଳକ ପ୍ରତିଷ୍ଠାନ ନିର୍ମାଣ ହେବ। ଭାରତ-ଏସିଆନ୍‌ ବନ୍ଧୁତ୍ୱ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ଦିଗରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଇଣ୍ଡୋନେସିଆ ପାଇଁ ଭାରତ ଏକ ସ୍ୱତନ୍ତ୍ର ସାମରିକ ସହଯୋଗୀ ହୋଇଥିବାରୁ ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ଓ୍ଵିଡୋଡୋ କହିଛନ୍ତି।

ସମ୍ବନ୍ଧିତ ଖବର