ଭୋକିଲା ଭାରତ: ବିଶ୍ୱ କ୍ଷୁଧା ସୂଚୀରେ ୧୦୨ତମ ସ୍ଥାନରେ

ପାକିସ୍ତାନ, ନେପାଳ ଓ ବାଙ୍ଗଲାଦେଶଠାରୁ ବି ପଛରେ, ଭାରତର ଶିଶୁ ଅପପୁଷ୍ଟି ହାର ବିଶ୍ୱରେ ସର୍ବାଧିକ

ନୂ୍ଆଦିଲ୍ଲୀ : ବିଶ୍ବର ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ‘ବିଶ୍ବ କ୍ଷୁଧା ଓ କୁପୋଷଣ ସୂଚୀ’ରେ ଭାରତ ୧୦୨ତମ ସ୍ଥାନରେ ରହିଛି। ଭାରତ ଏହି ସୂଚୀରେ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ବାଂଲାଦେଶ ତଳକୁ ରହିଛି। ଏହି ସୂଚୀରେ ଯେଉଁ ଦେଶ ୧୦୦ ପଏଣ୍ଟ ପାଇଛି, ସେ ଦେଶର ସ୍ଥିତି ସବୁଠୁ ଶୋଚନୀୟ ‌ଏବଂ ଯେଉଁ ଦେଶ ୦ (ଶୂନ) ପଏଣ୍ଟ ହାସଲ କରିଛି ସେ ଦେଶର ସ୍ଥିତି ଅତି ଉତ୍ତମ ବୋଲି ଦର୍ଶାଯାଇଛି। ଭାରତ ୩୦.୩ ପଏଣ୍ଟ ପାଇବା ସହ ସୂଚୀର ୧୦୨ ତମ ସ୍ଥାନରେ ରହିଛି। ସେହିଭଳି ପାକିସ୍ତାନ ଏହି ସୂଚୀର ୯୪ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୮୮ ଏବଂ ନେପାଳ ୭୩ତମ ସ୍ଥାନରେ ରହିଛି। ଏହି ତାଲିକାରେ ବେଲାରୁଷ ପ୍ରଥମ ସ୍ଥାନରେ ଥିବାବେଳେ ସେଣ୍ଟ୍ରାଲ୍‌ ଆଫ୍ରିକାନ୍‌ ରିପବ୍ଲିକ୍‌ ସବା ଶେଷରେ ୧୧୭ତମ ସ୍ଥାନରେ ଅଛି। ୨୫ତମ ସ୍ଥାନରେ ରହିଛି ଭାରତର ପଡ଼ୋଶୀ ଚୀନ୍‌।

ଭାରତରେ କ୍ଷୁଧା ଓ ଅପପୁଷ୍ଟି ସମସ୍ୟା ଅତି ଗମ୍ଭୀର ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। , ଭାରତ ୨୦୧୪ ତୁଳନାରେ ୨୦୧୯ରେ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଛି। ୨୦୧୪ରେ ଭାରତ ଜିଏଚ୍‌ଆଇ (ବିଶ୍ବ କ୍ଷୁଧା ସୂଚୀ)ରେ ୫୫ତମ ସ୍ଥାନରେ ଥିବାବେଳେ ୨୦୧୯ରେ ଏହା ନିମ୍ନଗାମୀ ହୋଇ ୧୦୨ତମ ସ୍ଥାନରେ ପହଞ୍ଚିଛି। ଏହା ଭାରତ ପାଇଁ ବଡ଼ ଆହ୍ବାନ ପାଲଟିଛି। ୨୦୧୪ରେ ଏହି ବିଶ୍ବ କ୍ଷୁଧା ସୂଚକାଙ୍କରେ ୭୬ଟି ଦେଶ ଅଂଶଗ୍ରହଣ କରିଥିବା ବେଳେ ଭାରତ ୫୫ତମ ସ୍ଥାନରେ ରହିଥିଲା। ସୂଚନାଯୋଗ୍ୟ, ପ୍ରତିବର୍ଷ ଆୟର୍ଲାଣ୍ଡ୍‌ କନ୍‌ସର୍ନ ୱାର୍ଲ‌୍ଡୱାଇଡ ଏବଂ ଜର୍ମାନୀର ୱେଲ୍‌ଥୁଙ୍ଗ ରିଲିଫ୍‌ ପକ୍ଷରୁ ଏହି ସୂଚୀ ପ୍ରସ୍ତୁତ କରାଯାଇଥାଏ। ଭାରତର ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହା କ୍ଷୁଧା ସମସ୍ୟାକୁ ବଢ଼ାଉଛି। ସେହିଭଳି ଭାରତର ଶିଶୁ ଅପପୁଷ୍ଟି ହାର ମଧ୍ୟ ଉଦ୍‌ବେଗଜନକ। ଶିଶୁ ଅପପୁଷ୍ଟି ହାରରେ ଭାରତ ବିଶ୍ବରେ ଏକ ନମ୍ବର ଦେଶ ଏବଂ ଏହି ହାର ୨୦.୮ ପ୍ରତିଶତ, ଯାହାକି ବିଶ୍ବରେ ସର୍ବାଧିକ ବୋଲି ଏଥିରେ ଉଲ୍ଲେଖ ରହିଛି। ମୁଖ୍ୟତଃ ୪ଟି ମାନକକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଅଖାଦ୍ୟ, ଅପପୁଷ୍ଟି, ବୟସ ତୁଳନାରେ ଶାରୀରିକ ବିକାଶ ନ ହେବା ଏବଂ ଶିଶୁ ମୃତ୍ୟୁ ହାର ଭଳି ମାନକକୁ ବିଚାରକୁ ନିଆଯାଇ ଏହା ପ୍ରସ୍ତୁତ ହୋଇଛି। ତେବେ ବିଶ୍ବ କ୍ଷୁଧା ସୂଚୀରେ ଭାରତ ପଛରେ ରହିବା ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଛନ୍ତି।

ସମ୍ବନ୍ଧିତ ଖବର