ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଇମ୍ରାନ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ବଢିବାର ଆଶଙ୍କା ରହିଛି । ଏ ନେଇ ଭାରତୀୟ ଗୁଇନ୍ଦାସଂସ୍ଥାମାନେ ସୁରକ୍ଷାବାହିନୀକୁ ସତର୍କ କରାଇଦେଇଛନ୍ତି । ଏହାର ସଂକେତ ମଧ୍ୟ ଗତ ସପ୍ତାହରେ ମିଳିଯାଇଛି । କାରଣ ଗତ ସପ୍ତାହରେ ଆତଙ୍କବାଦୀ ଆକ୍ରମଣରେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଥିଲେ । ଆଗକୁ ଏପରି କାଣ୍ଡ ବଢିବାର ଆଶଙ୍କା କରାଯାଉଛି । କାରଣ ଇମ୍ରାନ ଖାଁ ମୁଖ୍ୟତଃ ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନ ସେନାଙ୍କ ସମର୍ଥନରେ କ୍ଷମତାକୁ ଆସିଛନ୍ତି । ଏଣୁ ସେ ତାଙ୍କ ଇଙ୍ଗିତରେ ଚାଲିବା ପ୍ରାୟ ନିଶ୍ଚିତ । ଭାରତ ସହ ଯେତିକି ସଂପର୍କ ଖରାପ ହେବ ପାକ ସେନା ଓ ଆତଙ୍କବାଦୀ ସଂଗଠନମାନଙ୍କ ସେତିକି ସୁବିଧା । ଅନ୍ୟପକ୍ଷରେ ଆଗକୁ ଅନୁପ୍ରବେଶ ବଢାଇବାକୁ ପାକିସ୍ତାନର ଆଇଏସଆଇ ନୂଆ ନୂଆ ଯୋଜନା କରିଚାଲିଛି ।  ଏହି ଯୋଜନା ଅନୁସାରେ  ଆଇଏସଆଇ ପକ୍ଷରୁ ଆତଙ୍କବାଦୀମାନଙ୍କୁ  ଆଣ୍ଟି-ଥର୍ମାଲ ଜ୍ୟାକେଟ ଯୋଗାଇଦିଆଯାଇଛି । ଏହି ଜ୍ୟାକେଟ ପିନ୍ଧିଲେ ତାହା ଥର୍ମାଲ କ୍ୟାମେରା ଓ ନାଇଟ ଭିଜନ ଡିଭାଇସରେ ଧରା ପଡିବ ନାହିଁ । ଏହା ଫଳରେ ଆତଙ୍କବାଦୀମାନେ ସହଜରେ ଭାରତରେ ପ୍ରବେଶ କରିପାରିବେ । ଏହି ସୂଚନା ମିଳିବା ପରେ ଭାରତୀୟ ସେନା ଚିନ୍ତାରେ ପଡିଯାଇଛି । ଏହାକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବଢାଇଦିଆଯାଇଛି । ପ୍ରଥମ ଦଫାରେ ପ୍ରାୟ ୨୦୦ ଜଣ ଆତଙ୍କବାଦୀଙ୍କୁ ଏହି ଜ୍ୟାକେଟ ପିନ୍ଧାଇ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରାଯାଇଛି । ଭାରତୀୟ ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର