ଚୀନ୍‌ ସୀମାରେ ଭାରତର ମେଗା ପ୍ଲାନ୍‌

ନିର୍ମାଣ ହେବ ୨୧୦୦ କିମି ଦୀର୍ଘ ସଡ଼କ, ୨୧ ହଜାର କୋଟି ଟଙ୍କାର ଯୋଜନା

ନୂଆଦିଲ୍ଲୀ: ଚୀନ୍‌ ଓ ପାକିସ୍ତାନ ସୀମାରେ ସୁରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାର ୨୧ ହଜାର କୋଟି ଟଙ୍କାର ଏକ ବିଶାଳ ଯୋଜନା କରିଛନ୍ତି। ସାମରିକ ଦୃଷ୍ଟିରୁ ଅତୀବ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ୨୧୦୦ କିମି ଲମ୍ବ ସଡ଼କ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଭାରତ-ଚୀନ୍‌ ସୀମାରେ ୪୪ଟି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ଏବଂ ଏହାଦ୍ବାରା ପାକ୍‌ ସୀମାରେ ମଧ୍ୟ ସ୍ଥିତି ସୁଦୃଢ଼ ହୋଇପାରିବ । ଭାରତ-ଚୀନ୍‌ ସୀମା ଏବଂ ପାକିସ୍ତାନକୁ ଲାଗି ଥିବା ରାଜସ୍ଥାନ ଓ ପଂଜାବ ସୀମାରେ ଏହି ରାସ୍ତା ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହେବ। ଏହି ସଡ଼କ ନିର୍ମାଣର ଉଦ୍ଦେଶ୍ୟ ହେଉଛି, ଯେ କୌଣସି ଜରୁରୀ ସ୍ଥିତିରେ ସେନା ତତ୍କାଳ ପହଞ୍ଚି ପାରିବ ଏବଂ ଅତିକ୍ରମଣକୁ ରୋକିବା ଦିଗରେ ଏହା ସହାୟକ ହେବ। ଚୀନ୍‌ ସହିତ ଭାରତର ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ୪ ହଜାର କିମି ସୀମା ରହିଛି । ଚୀନ୍‌ ଭାରତ ସୀମାରେ ନିଜ ଭିତ୍ତିଭୂମି ସୁଦୃଢ଼ କରୁଥିବାରୁ ଭାରତ ମଧ୍ୟ ଏହି ବିଶାଳ ସଡ଼କ ନିର୍ମାଣ ଯୋଜନା ପ୍ରସ୍ତୁତ କରିଛି । ୨୦୧୭ରେ ଭାରତ ଏବଂ ଚୀନ୍‌ ସେନା ଡୋକଲାମ ଅଂଚଳରେ ମୁହାଁମୁହିଁ ହୋଇଥିଲେ ଏବଂ ଦୀର୍ଘ ୩ ମାସ ଧରି ତୀବ୍ର ଉତ୍ତେଜନା ଲାଗି ରହିଥିଲା। ଡୋକଲାମରେ ଚୀନ୍‌ର ସଡ଼କ ନିର୍ମାଣକୁ ଭାରତୀୟ ସେନା ରୋକିଥିଲେ। ଭୁଟାନର ଏହି ଅଂଚଳକୁ ଚୀନ୍‌ ନିଜ ଦଖଲକୁ ନେବାକୁ ଚାହୁଥିବାରୁ ବିବାଦ ବଢ଼ିଥିଲା। ଏହାପରେ ଭାରତ ଓ ଚୀନ୍‌ ମଧ୍ୟରେ ଏକ ଚୁକ୍ତି ହେବାପରେ ଉଭୟ ଦେଶର ସେନା ପଛକୁ ହଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୀମାରେ ସଡ଼କ ଯୋଜନାକୁ ମଂଜୁରି ଦେଇଛନ୍ତି। ଖୁବ୍‌ ଶୀଘ୍ର ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ପାକ୍‌ ଅଧିକୃତ କଶ୍ମୀର ଦେଇ ଯାଇଥିବାରୁ ଭାରତ ଏହାର ଜୋର୍‌ଦାର ବିରୋଧ କରିଛି ଏବଂ ଏହି ବିବାଦୀୟ ପ୍ରକଳ୍ପକୁ କୌଣସି ସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର