ଏସୀୟ-ପ୍ରଶାନ୍ତ ଶକ୍ତି ସୂଚକାଙ୍କ ରିପୋର୍ଟ : ଭାରତ ବିଶ୍ୱର ଚତୁର୍ଥ ମହାଶକ୍ତି

ନୂଆଦିଲ୍ଲୀ: ଏସୀୟ-ପ୍ରଶାନ୍ତ ମହାସାଗରୀୟ ୨୫ଟି ଦେଶକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ମୁତାବକ ଭାରତ ହେଉଛି ଚତୁର୍ଥ ମହାଶକ୍ତି। ପ୍ରତିରକ୍ଷା ଏବଂ ଆର୍ଥିକ ପ୍ରସଙ୍ଗରେ ଏବେ ବି ଭାରତ ପଛରେ ରହିଥିଲେ ମଧ୍ୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଓ ପତିଆରା ଭବିଷ୍ୟତରେ ଭାରତକୁ ବିଶ୍ୱଶକ୍ତିରେ ପରିଣତ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ଅଷ୍ଟ୍ରେଲିଆର ଥିଙ୍କ୍‌ ଟ୍ୟାଙ୍କ୍‌ ଲିଓ୍ଵି ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ଏସୀୟ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଙ୍କ ସର୍ଭେ କରାଯାଇଥିଲା। ପଶ୍ଚିମରେ ପାକିସ୍ତାନ, ଉତ୍ତରରେ ରୁଷିଆ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ରଙ୍କୁ ଏହି ସର୍ଭେରେ ସାମିଲ କରାଯାଇଛି। କୌଣସି ବି ଦେଶର ୮ଟି ଶକ୍ତି ଯଥା, ଆର୍ଥିକ, ସାମରିକ କ୍ଷମତା, ନମନୀୟତା, ଭବିଷ୍ୟତ ପନ୍ଥା, କୂଟନୈତିକ ପ୍ରଭାବ, ଆର୍ଥିକ ସମ୍ପର୍କ, ପ୍ରତିରକ୍ଷା କ୍ଷେତ୍ର, ଓ ସାଂସ୍କୃତିକ ପ୍ରଭାବକୁ ନେଇ ଏହି ଶକ୍ତିର ଆକଳନ କରାଯାଇଛି। ଜାପାନର ଟୋକିଓକୁ ସ୍ମାର୍ଟ ଶକ୍ତି ଓ ଭାରତର ରାଜଧାନୀ ଦିଲ୍ଲୀକୁ ଭବିଷ୍ୟତର ମହାଶକ୍ତି ଭାବେ ରିପୋର୍ଟରେ କୁହାଯାଇଛି।

ଆମେରିକା ପୂର୍ବବତ ଏହି ତାଲିକାର ସର୍ବାଗ୍ରେ ରହିଥିବା ବେଳେ ତାକୁ କଡ଼ା ଟକ୍କର ଦେଇ ଚୀନ ଆଗକୁ ବଢି ଚାଲିଛି। ଏହି ରିପୋର୍ଟରେ ୩ ବୃହତ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ଏସିଆର ହୋଇଥିବା ବେଳେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ମହାଶକ୍ତି ଭାବେ ଆମେରିକା ନିଜକୁ ପ୍ରତିପାଦିତ କରିପାରିଛି। ୨୦୩୦ ମସିହାକୁ ଆଖି ଆଗରେ ରଖି ଦେଶମାନେ ନିର୍ଦ୍ଧାରଣ କରିଥିବା ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର