କର୍ତାରପୁର କରିଡର ନେଇ ଭାରତ-ପାକ୍‌ ଆାଲୋଚନା

ଭିସା ମୁକ୍ତ ପ୍ରବେଶ ଚାହିଲା ଭାରତ, ପୁଲୱାମା ଆକ୍ରମଣ ପରେ ପ୍ରଥମ ବୈଠକ

ନୂଆଦିଲ୍ଲୀ: ପୁଲ୍‌ୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ର ଆକ୍ରମଣ ଏବଂ ବାଲାକୋଟ୍‌ରେ ଜୈସ୍‌ ଶିବିର ଉପରେ ଭାରତର ବୋମାମାଡ଼ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଏବେ ଯଥେଷ୍ଟ ସୁଧାର ହୋଇଛି । ପୁଲୱାମା ଆକ୍ରମଣ ପରେ ଆଜି ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ କର୍ତାରପୁର କରିଡରକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆଜି କର୍ତାରପୁର ଗୁରୁଦ୍ବାରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ସଂପୂର୍ଣ୍ଣ ଭିସା ମୁକ୍ତ କରିବାକୁ ଦାବି କରିଛି। ଦୈନିକ ୫ ହଜାର ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ଯିବା ପାଇଁ ଅନୁମତି ଦେବାକୁ ଭାରତ କହିଛି। ଏହି ବୈଠକରେ ପଂଜାବର ଗୁରୁଦାସପୁର ଜିଲ୍ଲା ସୀମା ଏବଂ କର୍ତାରପୁର ସାହିବ ପର୍ଯ୍ୟନ୍ତ ପ୍ରସ୍ତାବିତ କରିଡର ଖୋଲିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁଙ୍କୁ କର୍ତାରପୁର ସାହିବ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ଅନୁମତି ଦେବା ଏବଂ ସପ୍ତାହରେ ୭ ଦିନ ଏହି କରିଡର ଖୋଲା ରଖିବାକୁ ଭାରତ ପ୍ରସ୍ତାବ ଦେଇଛି। ଏ ବାବଦରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଏସ୍‌ସିଏଲ୍‌ ଦାସ କହିଥିଲେ ଯେ କର୍ତାରପୁର କରିଡରକୁ ସଫଳ କରିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ପ୍ରବେଶ ଅନୁମତି ମିଳିବା ଆବଶ୍ୟକ। ଏହା କାର୍ଯ୍ୟକାରୀ ହେଲେ ଅନ୍ୟ ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଏହି ଦ୍ବିପାକ୍ଷିକ ବୈଠକ ପରେ ଆଗକୁ ଅନ୍ୟ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ପାଇଁ ରାସ୍ତା ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର