ଭାରତ-ପାକ୍‌ ଡିଜିଏମଓ ଆଲୋଚନା:ଅସ୍ତ୍ର ବିରତି ଲାଗୁ ହେବ

ଶ୍ରୀନଗର: ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ ଜାରି ରଖିଥିବା ବେଳେ ଅନ୍ତର୍ଜାତୀୟ ସୀମା ଅଶାନ୍ତ ରହୁଛି। ପାକିସ୍ତାନର ଗୁଳିମାଡ଼କୁ ପ୍ରତିହତ କରିବାକୁ ଯାଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଉଛି। ଏଭଳି ସ୍ଥିତିରେ ସୀମାରେ ଶାନ୍ତି ସ୍ଥାପନ ପାଇଁ ଆଜି ଭାରତ-ପାକ୍‌ ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଅସ୍ତ୍ରବିରତି ଉଲ୍ଳଂଘନ ନ କରିବା ପାଇଁ ଏକ ଚୁକ୍ତି ମଧ୍ୟ ହୋଇଥିବା ପାକିସ୍ତାନ ସେନା ପ୍ରବକ୍ତା କହିଛନ୍ତି। ୨୦୦୩ ମସିହାର ଅସ୍ତ୍ରବିରତି ବୁଝାମଣାକୁ ପାଳନ କରିବା ସହ ସୀମାରେ ଶାନ୍ତି ସ୍ଥାପନ ପାଇଁ ଦୁଇ ଦେଶ ପକ୍ଷରୁ ଚେଷ୍ଟା କରାଯିବାକୁ ନେଇ ଆଲୋଚନା ହୋଇଛି। ତେଣୁ ଖୁବ୍‌ଶୀଘ୍ର ସୀମାରେ ଗୁଳିବର୍ଷା ଥମିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କଶ୍ମୀର ପ୍ରସଙ୍ଗରେ ଆଜି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ୪ ବର୍ଷ ମଧ୍ୟରେ ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନରେ ୬୧୯ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଉପା ସରକାର ସମୟରେ ଏହି ସଂଖ୍ୟା ଥିଲା ୪୭୧। ପବିତ୍ର ରମଜାନ୍‌ ସମୟରେ ଜମ୍ମୁ କଶୀ୍ମରରେ ଏକତରଫା ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ କୌଣସି ଆତଙ୍କବାଦୀ ଆକ୍ରମଣ ସମୟରେ ଯବାନ ପାଲଟା ଆକ୍ରମଣ କରିବାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ।

ସମ୍ବନ୍ଧିତ ଖବର