ଡାକଘରକୁ ନୂଆ ଜୀବନ : ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଆର୍ଥିକ ସେବା ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଖାତା ଯୋଜନା ଆରମ୍ଭ ହେବାର ପ୍ରାୟ ୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ସେବାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ଏହି ସେବାର ଆରମ୍ଭ କରିଛନ୍ତି। ଡାକ ବିଭାଗର ବିଶାଳ ନେଟଓ୍ଵାର୍କ ମାଧ୍ୟମରେ ସାଧାରଣ ଲୋକେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଏହାଦ୍ୱାରା ପାଇପାରିବେ। ଆଜି ଦେଶର ୬୫୦ ଡାକଘରେ ଏବଂ ୩୨୫୦ଟି ଆକ୍ସେସ ପଏଣ୍ଟ୍‌ରେ ଏହି ସେବା ଆରମ୍ଭ କରାଯାଇଛି। ଏତଦ୍‌ବ୍ୟତୀତ ୧୧ ହଜାର ପୋଷ୍ଟମ୍ୟାନ ଲୋକଙ୍କୁ ସେମାନଙ୍କ ଘରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେବେ। ଚଳିତବର୍ଷ ଶେଷ ସୁଦ୍ଧା ଆଇପିପିବି ସେବାକୁ ଦେଶର ସମସ୍ତ ୧ ଲକ୍ଷ ୫୫ ହଜାରରୁ ଅଧିକ ଡାକଘରେ ଉପଲବ୍ଧ କରାଇବା ଯୋଜନା ରଖାଯାଇଛି। ବ୍ୟାଙ୍କିଙ୍ଗ୍‌ ସେବାକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଇପିପିବିର ମୋବାଇଲ ଆପ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଆଇପିପିବି ଦ୍ୱାରା ପ୍ରତ୍ୟେକ ଲୋକଙ୍କ ଘର ଦ୍ୱାରରେ ବ୍ୟାଙ୍କ ସେବା ପହଞ୍ଚିବ।

ଆଇପିପିବି ଏକ ବ୍ୟାଙ୍କ ଭଳି କାର୍ଯ୍ୟ କରିବ। ଲୋକଙ୍କୁ ଟଙ୍କା ଜମା କରିବା ସୁବିଧା ସହିତ ଅନେକ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦିଆଯିବ। ତେବେ ଆଇପିପିବିରେ ଲୋକଙ୍କୁ ଋଣ କିମ୍ବା କ୍ରେଡିଟ୍‌ କାର୍ଡ ମିଳିବ ନାହିଁ। ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁଯାୟୀ, ଜଣେ ଗ୍ରାହକ ଆଇପିପିବିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବା ସୁବିଧା ରହିଛି। ଜମା ପରିମାଣ ୧ ଲକ୍ଷ ଟଙ୍କାରୁ ଅଧିକ ହେଲେ ସେହି ଉଦ୍‌ବୃତ୍ତ ରାଶି ଆପେ ଗ୍ରାହକଙ୍କ ଡାକ ଘର ସଞ୍ଚୟ ଖାତାକୁ ଚାଲିଯିବ।

ଏତଦ୍‌ବ୍ୟତୀତ ଟଙ୍କା ପଇଠ ଏବଂ ପ୍ରେରଣ ସେବା, ମୋବାଇଲ ପେମେଣ୍ଟ୍‌ସ/ସ୍ଥାନାନ୍ତର ଭଳି ସେବା ମଧ୍ୟ ଏଠାରେ ମିଳିବ। ଏଥିସହିତ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ ଏବଂ ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ତୃତୀୟ ପକ୍ଷ ପାଣ୍ଠି ସ୍ଥାନାନ୍ତରଣ ସେବା ମିଳିବ।

ସଞ୍ଚୟ ଖାତାଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ୪ ପ୍ରତିଶତ ସୁଧ ପ୍ରଦାନ କରାଯିବ। ତେବେ ଲୋକଙ୍କୁ ବୀମା ଏବଂ ଋଣ ସୁବିଧା ଯୋଗାଇ ଦେବା ଲାଗି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବଜାଜ୍‌ ଆଲିଆଞ୍ଜ ଲାଇଫ୍‌ ଇନସ୍ୟୁରାନ୍ସ ଭଳି ସଂସ୍ଥା ସହିତ ଆଇପିପିବି ସହବନ୍ଧନ ସ୍ଥାପନ କରିଛି।

ଆଧାର କାର୍ଡ ମାଧ୍ୟମରେ ପେମେଣ୍ଟ୍‌ ବ୍ୟାଙ୍କରେ ଖାତା ଖୋଲାଯାଇପାରିବ। ବ୍ୟାଙ୍କିଙ୍ଗ କାରବାର ଏବଂ ଅର୍ଥ ପଇଠ ସମୟରେ କ୍ୟୁଆର୍‌ କାର୍ଡ ଏବଂ ବାୟୋମେଟ୍ରିକ୍‌ ଉପାୟରେ ଗ୍ରାହକଙ୍କ ପ୍ରମାଣୀକରଣ କରାଯାଇପାରିବ। ପୋଷ୍ଟମ୍ୟାନ୍‌ଙ୍କ ନିକଟରେ ବାୟୋମେଟ୍ରିକ୍‌ ଉପକରଣ ଏଥିପାଇଁ ରହିବ। ଲୋକମାନେ ଆଇପିପିବିର ସେବା ଡାକଘର କାଉଣ୍ଟର ସମେତ ମାଇକ୍ରୋ ଏଟିଏମ୍‌, ଆପ୍‌, ମେସେଜ୍‌ ଏବଂ ଇଣ୍ଟରଆକ୍ଟିଭ ଭଏସ୍‌ ରେସପନ୍ସ ମାଧ୍ୟମରେ ପାଇପାରିବେ।

ଆକ୍ସେସ ପଏଣ୍ଟ ଏବଂ ଘର ଦ୍ୱାରରେ ଟଙ୍କା ଜମା ଏବଂ ଉଠାଣ ନେଇ ଭିନ୍ନ ଭିନ୍ନ ସୀମା ଧାର୍ଯ୍ୟ କରାଯାଇଛି। ମୁଖ୍ୟ ଡାକଘରେ ଏବଂ ଉପ ଡାକଘରେ ସଞ୍ଚୟ ଖାତାରେ ଟଙ୍କା ଜମା ପାଇଁ କୌଣସି ସୀମା ନଥିବା ବେଳେ ଜଣେ ୨୦ ହଜାର ଟଙ୍କା ଉଠାଇ ପାରିବା ସୁବିଧା ରହିଛି। ତେବେ ଶାଖା ଡାକଘରେ ଏବଂ ଗ୍ରାମୀଣ ଡାକ ସେବକ/ଘର ଦ୍ୱାରରେ ପୋଷ୍ଟମ୍ୟାନ୍‌ଙ୍କ ମାଧ୍ୟମରେ ଜଣେ ୫ ହଜାର ଟଙ୍କା ଜମା କରିପାରିବ ଏବଂ ୫ ହଜାର ଟଙ୍କା ଉଠାଇ ମଧ୍ୟ ପାରିବ। ସେହିଭଳି ଚଳନ୍ତି ଖାତା କ୍ଷେତ୍ରରେ ମୁଖ୍ୟ ଡାକଘରେ ଏବଂ ଉପ ଡାକଘରେ ଜଣେ ବ୍ୟକ୍ତିଙ୍କ ପାଇଁ ଟଙ୍କା ଜମା ରଖିବା ନେଇ କୌଣସି ସୀମା ରଖାଯାଇ ନଥିବା ବେଳେ ଉଠାଣ ନେଇ ୨୦ ହଜାର ଟଙ୍କାର ସୀମା ରଖାଯାଇଛି। ଚଳନ୍ତି ଖାତାଧାରୀଙ୍କ ପାଇଁ ଶାଖା ଡାକଘର ଏବଂ ଗ୍ରାମୀଣ ଡାକ ସେବକ/ପୋଷ୍ଟମ୍ୟାନ୍‌ଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଜମା ଏବଂ ୨୦ ହଜାର ଟଙ୍କା ଉଠାଣ ସୁବିଧା ରହିଛି। ଜଣେ ଗ୍ରାହକଙ୍କ ପାଇଁ ଦୈନିକ ଏହି କଟକଣା ରହିଛି।

ଦେଶର ବ୍ୟାଙ୍କ ଗୁଡ଼ିକରେ ଦେଖାଦେଇଥିବା ଏନ୍‌ପିଏ ସଙ୍କଟ ପାଇଁ ପୂର୍ବର ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଦେଶରେ ଫୋନ୍‌ ବ୍ୟାଙ୍କିଙ୍ଗ୍‌ ଆରମ୍ଭ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ପରିବାରର ନିକଟତର ଥିବା ବଡ଼ ବଡ଼ ବ୍ୟବସାୟୀମାନଙ୍କୁ ଫୋନ୍‌ କଲ୍‌ରେ ଋଣ ମିଳି ଯାଉଥିଲା। ଏହାକୁ ସେ ଫୋନ୍‌-ଏ-ଲୋନ୍‌ ସ୍କାମ୍‌ ବା ଫୋନ୍‌ରେ ଋଣ ଜାଲିଆତି ବୋଲି ଆଖ୍ୟା ଦେଇଛନ୍ତି। ତେବେ ଋଣ ଖିଲାପକାରୀଙ୍କଠାରୁ କଡ଼ାଗଣ୍ଡା କରି ଅର୍ଥ ଆଦାୟ କରାଯିବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର