ଯୁଦ୍ଧ ପାଇଁ ଭାରତ ତୟାର

ବୁଡ଼ାଜାହାଜ, ଯୁଦ୍ଧ ବିମାନ ଏବଂ ଯୁଦ୍ଧପୋତ ମୁତୟନ ପାକିସ୍ତାନର ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଦ୍ବାରା ଆତ୍ମଘାତୀ ଆକ୍ରମଣ ଏବଂ ଏହାର ଜବାବରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ଉପୁଜିଥିବା ସ୍ଥିତି ଏବେ ବି ଅତ୍ୟନ୍ତ ଗମ୍ଭୀର ରହିଛି। ପାକିସ୍ତାନର ଯେ କୌଣସି ଆକ୍ରମଣ ପାଇଁ ଭାରତ ସଂପୂର୍ଣ୍ଣ ତୟାର ରହିଥିବା ବେଳେ ଉତ୍ତର ଆରବ ସାଗରରେ ରଣନୀତିକ ଦୃଷ୍ଟିରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଭାରତ ଏବେ ପରମାଣୁ ଶକ୍ତି ସଂପନ୍ନ ବୁଡ଼ାଜାହଜ, ଯୁଦ୍ଧପୋତ ଏବଂ ଯୁଦ୍ଧ ବିମାନ ମୁତୟନ କରିଛି। ଭାରତୀୟ ନୌସେନା ଏବେ ସମୁଦ୍ରର ଉପର ଭାଗରେ, ତଳ ଭାଗରେ ଏବଂ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ତୟାର ରହିଛି ଏବଂ ‌ପାକିସ୍ତାନ ଦ୍ବାରା ଯେ କୌଣସି ଆକ୍ରମଣର ଜବାବ ଦେବାକୁ ଆମେ ସକ୍ଷମ ବୋଲି ନୌସେନା ପ୍ରବକ୍ତା କ୍ୟାପ୍‌ଟେନ ଡି.କେ. ଶର୍ମା କହିଛନ୍ତି। ଉଲ୍ଲେଖ ଥାଉ କି, ବିଶ୍ବର ସର୍ବାଧୁନିକ ଅସ୍ତ୍ରଶସ୍ତ୍ରରେ ନୌସେନା ସୁସଜ୍ଜିତ ରହିଛି ଏବଂ ନିକଟରେ ଏକ ବିଶାଳ ସମରାଭ୍ୟାସରେ ଭାରତର ୬୦ଟି ଯୁଦ୍ଧ ଜାହାଜ, ୧୨ଟି ତଟରକ୍ଷୀ ଜାହାଜ ଏବଂ ୬୦ଟି ଯୁଦ୍ଧ ବିମାନ ଭାଗନେଇ ଅପୂର୍ବ ରଣକୌଶଳ ପ୍ରଦର୍ଶନ କରିଛି।

ସୂଚନାଯୋଗ୍ୟ, ପୁଲୱାମାରେ ପାକ୍ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ଆତ୍ମଘାତୀ ବିସ୍ଫୋରଣ ଘଟାଇବାରୁ ୪୧ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଯାଇଥିଲେ ଏବଂ ଭାରତୀୟ ବାୟୁସେନା ଏହାର ପ୍ରତିଶୋଧ ସ୍ବରୂପ ପାକିସ୍ତାନର ବାଲାକୋଟ ସ୍ଥିତ ଜୈସ୍‌ ଶିବିରରେ ସ୍ପାଇସ୍‌ ୨୦୦୦ ବୋମା ବର୍ଷା କରିଥିଲା। ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା ଏବଂ ପାକିସ୍ତାନର ଯୁଦ୍ଧ ବିମାନ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ପ୍ରୟାସ କରିଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଏକ ଅତ୍ୟାଧୁନିକ ଏଫ୍‌-୧୬ ଲଢ଼ୁଆ ବିମାନ ହରାଇଥିଲା। ଏହା ପରଠାରୁ ଉତ୍ତେଜନା ବଢ଼ିଚାଲିଥିବା ବେଳେ ଏବେ ନୌସେନା ଯୁଦ୍ଧାଭ୍ୟାସଠାରୁ ଆରମ୍ଭ କରି ରଣନୀତିକ ମୁତୟନ ପର୍ଯ୍ୟନ୍ତ ତତ୍ପରତା ଦେଖାଇଛି। ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ଆଣବିକ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତ ସମେତ ଆଇଏନ୍‌ଏସ୍‌ ଚକ୍ରକୁ ଉତ୍ତର ଆରବ ସାଗରରେ ମୁତୟନ କରାଯାଇଛି । ଶତ୍ରୁପକ୍ଷରୁ ସାମାନ୍ୟତମ ଆକ୍ରମଣ ହେଲେ ଭାରତ ଏହାର ଭୟଙ୍କର ଜବାବ ଦେବାକୁ ତୟାର ରହିଛି ବୋଲି କ୍ୟାପ୍‌ଟେନ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର