ଭାରତରେ କରୋନାଭାଇରସ୍: ୧୪୬୬ ଆକ୍ରାନ୍ତ ଓ ୩୮ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୪୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବିହାରରେ ୧ଜଣ, ଦିଲ୍ଲୀରେ ୨ଜଣ, ଗୁଜରାଟରେ ୬ଜଣ, ହିମାଚଳ ପ୍ରଦେଶରେ ଜଣେ, ଜମ୍ମୁ ଓ କଶ୍ମୀରରେ ୨ଜଣ, କର୍ଣ୍ଣାଟକରେ ୩ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୩ଜଣ, ମହାରାଷ୍ଟ୍ରରେ ୯ଜଣ, ପଞ୍ଜାବରେ ୩ଜଣ, ତାମିଲନାଡୁରେ ୧ଜଣ, ତେଲେଙ୍ଗାନାରେ ୩ ଜଣ ଏବଂ ପଶ୍ଚିମବଙ୍ଗରେ ୨ଜଣ ।

Image Source: Zee News

ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୮୩), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦), ବିହାର (୨୩), ଚଣ୍ଡିଗଡ଼ (୧୩), ଛତିଶଗଡ଼ (୯), ଦିଲ୍ଲୀ (୧୨୦), ଗୋଆ (୫), ଗୁଜରାଟ (୭୪), ହରିୟାଣା (୪୩), ହିମାଚଳ ପ୍ରଦେଶ (୩), ଜମ୍ମୁ ଓ କଶ୍ମୀର (୫୫), କର୍ଣ୍ଣାଟକ (୧୦୧), କେରଳ (୨୪୧), ଲଦାଖ (୧୩), ମଧ୍ୟପ୍ରଦେଶ (୪୭), ମହାରାଷ୍ଟ୍ର (୩୦୨), ମଣିପୁର (୧), ମିଜୋରାମ (୧), ଓଡ଼ିଶା (୪), ପୁଦ୍ଦୁଚେରୀ (୧), ପଞ୍ଜାବ (୪୧), ରାଜସ୍ଥାନ (୯୩), ତାମିଲନାଡୁ (୧୨୪), ତେଲେଙ୍ଗାନା (୯୪), ଉତ୍ତରାଖଣ୍ଡ (୭), ଉତ୍ତରପ୍ରଦେଶ (୧୦୩) ଓ ପଶ୍ଚିମବଙ୍ଗ (୨୬) ।

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପଥନମତିତ୍ତ ।

ସମ୍ବନ୍ଧିତ ଖବର