ଆମେରିକାର କଟକଣା ଧମକ ସତ୍ତ୍ୱେ ଭାରତ ଋଷିଆ ଠାରୁ ଏସ-୪୦୦ କିଣିବ, ଆସନ୍ତା ସପ୍ତାହରେ ଚୁକ୍ତି

ନୂଆଦିଲ୍ଲୀ : ବିଭିନ୍ନ ଘାତ ପ୍ରତିଘାତ,ଆମେରିକାର ତୀବ୍ର ବିରୋଧ, କଟକଣା ଧମକ ସତ୍ତ୍ୱେ ଆସନ୍ତା ସପ୍ତାହରେ ଏସ-୪୦୦ ଖରିଦ କରିବା ପାଇଁ ଭାରତ ଋଷିଆ ସହ ଚୁକ୍ତି କରିବ । ଆସନ୍ତା ସପ୍ତାହରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ହିଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇପାରେ । ଏସ-୪୦୦ ହେଉଛି ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ସିଷ୍ଟମ । କିନ୍ତୁ ଏହା ଯେଉଁ ଦେଶ କିଣିବ ତା ବିରୋଧରେ କଟକଣା ଲଗାଇବାକୁ ଆମେରିକା ଧମକ ଦେଉଛି । ଗତ ସପ୍ତାହରେ ଚୀନ ଏସ-୪୦୦ କିଣିଥିବାରୁ ଆମେରିକା ତା ବିରୋଧରେ କଟକଣା ଲଗାଇଛି । ଭାରତ ମଧ୍ୟ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କଣିଲେ କଟକଣା ଲଗାଯିବ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

କେତେକ ବିଶେଷଜ୍ଞ କହିଛନ୍ତି ଯେ ଭାରତ ହାତକୁ ଏସ-୪୦୦ ଆସିଲେ ଭାରତ ନିଜ ପାଖରେ ଥିବା (ବା ଆମେରିକାଠାରୁ ପାଇବାକୁ ଥିବା) ଲଢୁଆ ବିମାନକୁ ବ୍ୟବହାର କରି ତାହାର ପରୀକ୍ଷଣ କରିବ । ଏହା ଫଳରେ ଆମେରିକୀୟ ବିମାନର ଗୋପନୀୟ ବୈଷୟିକ ତଥ୍ୟ ଓ ଦୁର୍ବଳତା ଏସ-୪୦୦ ରେକର୍ଡ କରିପାରିବ ଓ ଚାହିଁଲେ ତାହାକୁ ଋଷିଆକୁ ମଧ୍ୟ ଦେଇପାରିବ । ଏହା ହିଁ ଆମେରିକା ଚାହୁଁନାହିଁ, ସେଥିପାଇଁ କଟକଣା ଲଗାଉଛି ।

ସମ୍ବନ୍ଧିତ ଖବର