କମ୍‌ ପରମାଣୁ ଅସ୍ତ୍ର ସତ୍ତ୍ୱେ ଭାରତ ସୁରକ୍ଷିତ

ନୂଆଦିଲ୍ଲୀ: ଦୁଇ ପଡୋଶୀ ଶତ୍ରୁରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନ ନିକଟରେ ଭାରତ ଅପେକ୍ଷା ଦୁଇଗୁଣ ପରମାଣୁ ଅସ୍ତ୍ର ରହିଛି। ଷ୍ଟକହୋମ୍‌ ଆନ୍ତର୍ଜାତିକ ଶାନ୍ତି ଗବେଷଣା ସଂସ୍ଥାନର ରିପୋର୍ଟ ମୁତାବକ, ଏହି ଦୁଇ ଦେଶ ଅପେକ୍ଷା ଭାରତ ନିକଟରେ କମ୍‌ ପରମାଣୁ ଅସ୍ତ୍ର ଥିଲେ ବି ଭାରତ ନିଜକୁ ସୁରକ୍ଷିତ ମନେକରୁଛି। କାରଣ ଭାରତ ନିକଟରେ ଗଚ୍ଛିତ ପରମାଣୁ ଅସ୍ତ୍ର ଓ ପରମାଣୁ ଯୁଦ୍ଧ ମୁକାବିଲା କରିବାର କ୍ଷମତା ଏହି ଦୁଇ ଦେଶ ଅପେକ୍ଷା ବେଶ୍‌ ସୁଦୃଢ ରହିଛି। ଭାରତ ଓ ପାକିସ୍ତାନ ଉଭୟ ଦେଶ ନିଜର ପରମାଣୁ କ୍ଷମତା ବୃଦ୍ଧି କରିବାକୁ ଗବେଶଣା ଚଳାଇଛନ୍ତି ଓ ଏନେଇ ଯୋଜନା ମଧ୍ୟ କରୁଥିବା ରିପୋର୍ଟରେ କୁହାଯାଇଛି। ସ୍ଥଳ, ଜଳ ଓ ଆକାଶପଥରୁ ଉତ୍‌କ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପଦ୍ଧତିକୁ ଏହି ଦୁଇ ଦେଶ ଅଧିିକରୁ ଅଧିକ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଚୀନ୍‌ ଓ ପାକିସ୍ତାନଠାରୁ ବାରମ୍ବାର ଧମକ ସତ୍ତ୍ୱେ ଭାରତ ନିଜର ମୁକାବିଲା କ୍ଷମତା ପାଇଁ ଦୃଢତାର ସହ ଛିଡ଼ା ହେଉଥିବା କୁହାଯାଇଛି।

ରିପୋର୍ଟରେ ଏହା ମଧ୍ୟ ଉଲ୍ଳେଖ ରହିଛି ଯେ, ଗୋଟିଏ ଥର ଆକ୍ରମଣରେ ଏହି ଦୁଇ ଶତ୍ରୁରାଷ୍ଟ୍ରଙ୍କୁ ମାଟିରେ ମିଶାଇଦେବାର କ୍ଷମତା ଭାରତ ନିକଟରେ ରହିଛି।
ରିପୋର୍ଟ ମୁତାବକ, ଭାରତ ନିକଟରେ ୧୩୦-୧୪୦ଟି, ପାକିସ୍ତାନ ନିକଟରେ ୧୪୦-୧୫୦ଟି ଓ ଚୀନ୍‌ ନିକଟରେ ୨୮୦ଟି ପରମାଣୁ ଅସ୍ତ୍ର ରହିଛି। ସେହିଭଳି ବିଶ୍ୱଶକ୍ତି ଆମେରିକା ନିକଟରେ ୬୪୫୦ଟି ଓ ରୁଷ ନିକଟରେ ୬୮୫୦ଟି ପରମାଣୁ ଅସ୍ତ୍ର ରହିଛି। ସାରା ବିଶ୍ୱରେ ବର୍ତ୍ତମାନ ୧୪,୪୬୫ଟି ପରମାଣୁ ଅସ୍ତ୍ର ଥିବା ବେଳେ ଏହି ଦୁଇ ଦେଶ ନିକଟରେ ହିଁ କେବଳ ୯୨ ପ୍ରତିଶତ ପରମାଣୁ ବୋମା ରହିଛି। ଏହାବାଦ୍‌ ଅନ୍ୟ ୭ଟି ରାଷ୍ଟ୍ର ନିକଟରେ ମଧ୍ୟ ପରମାଣୁ ଅସ୍ତ୍ର ଥିବା ବେଳେ ସେମାନେ ତାଙ୍କର କ୍ଷମତାକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।

ବ୍ରିଟେନ ନିକଟରେ ୨୧୫ଟି, ଇସ୍ରାଏଲ ପାଖରେ ୮୦ଟି ଓ ଉତ୍ତରକୋରିଆ ପାଖରେ ୧୦-୨୦ଟି ପରମାଣୁ ଅସ୍ତ୍ର ଥିବା ରିପୋର୍ଟରେ କୁହାଯାଇଛି। ଭାରତ ନିକଟରେ କେତେ ପରମାଣୁ ଅସ୍ତ୍ର ରହିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା କେତେଦୂର କାର୍ଯ୍ୟକ୍ଷମ ତାହା ଜରୁରୀ। ଭାରତ ନିକଟରେ ଥିବା ଅଗ୍ନି-୫ କ୍ଷେପଣାସ୍ତ୍ର ୫ ହଜାର କିମି ଦୂରତା ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଥିବା ବେଳେ ପାକିସ୍ତାନ ନିକଟରେ ଥିବା ସାହିନ୍‌-୩ କ୍ଷେପଣାସ୍ତ୍ର ୧୭୫୦ କିମି ଲକ୍ଷ୍ୟଭେଦ କରିପାରିବ।
ଗୋଟିଏ ପଟେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଦେଶଗୁଡ଼ିକରେ ପରମାଣୁ ଅସ୍ତ୍ର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସେପଟେ, ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଚୀନ, ପାକିସ୍ତାନ ସହ ତିକ୍ତତା, ଆମେରିକା ଓ ବ୍ରିଟେନ ସହ ରୁଷର ବିବାଦ ଆଦି ଘଟଣାପରେ ସାରା ବିଶ୍ୱରେ ପରମାଣୁ ଯୁଦ୍ଧ ନେଇ ଆଶଙ୍କା ଘନେଇବାରେ ଲାଗିଛି।

ସମ୍ବନ୍ଧିତ ଖବର