ଦେଶର ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ପ୍ରତିରକ୍ଷା ସାମଗ୍ରୀ କ୍ରୟରେ କୌଣସି ବୁଝାମଣା ହୋଇ ପାରିବ ନାହିଁ: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

ଋଷିଆ ଠାରୁ ଏସ୍‌-୪୦୦ କ୍ରୟ ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓଙ୍କୁ ସ୍ପଷ୍ଟ କଲେ ଭାରତର ଆଭିମୁଖ୍ୟ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ଭାରତ ବିଦେଶରୁ ଯେତେବେଳେ ବି କୌଣସି ପ୍ରକାରର ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବାକୁ ନିଷ୍ପତ୍ତି ନେଉଛି, ସେଥିରେ କୌଣସି ପ୍ରକାରର ବି ସାମାନ୍ୟତମ ବୁଝାମଣା କରାଯାଇ ପାରିବ ନାହିଁ; କିମ୍ବା କାହାକୁ ସନ୍ତୁଷ୍ଟ ରଖିବା ଲକ୍ଷ୍ୟ ରଖି ଭାରତ କୌଣସି ପ୍ରକାରର ‘ପ୍ରତିରକ୍ଷା ଡିଲ୍‌’ରେ ନିଜକୁ ସାମିଲ କରିବ ନାହିଁ; କିମ୍ବା କୌଣସି ପ୍ରକାରର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ସ୍ପଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ଆଜି ନୂଆଦିଲ୍ଲୀ ଠାରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଭେଟଥିଲେ। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଉଭୟ ରାଷ୍ଟ୍ରର ଦ୍ୱିପାକ୍ଷିକ ସଂପର୍କ ଉପରେ ଆଲୋଚନା କରାଯିବା ସହ ଏହାକୁ ଆହୁରି ମଜବୁତ୍‌ କରିବା ପାଇଁ ଉଭୟ ନେତା ରାଜି ହୋଇଥିଲେ। ତେବେ, ଏହି ଆଲୋଚନା କାଳରେ ଯଦି ଭାରତ ଋଷିଆ ଠାରୁ ୫ ବିଲିୟନ ଡଲାର ବିନିୟନରେ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରେ ତେବେ ଉଭୟ ରାଷ୍ଟ୍ରର ସଂପର୍କରେ ବାଧା ଉପୁଜିବା ସହ ଭାରତ ବିରୋଧରେ ଆମେରିକା କିଛି କଟକଣା ଲଗାଇବାର ସମ୍ଭାବନା ରହିଥିବା ସୂଚନା ଦେଇଥିଲେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ।

NDTV

ତେବେ, ଏସଂପର୍କରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ କରି ଦେଇଥିଲେ ଯେ ଦେଶର ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ଭାରତ ବିଦେଶରୁ ଯେତେବେଳେ ବି କୌଣସି ପ୍ରକାରର ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବାକୁ ନିଷ୍ପତ୍ତି ନେଉଛି, ସେଥିରେ କୌଣସି ପ୍ରକାରର ବି ସାମାନ୍ୟତମ ବୁଝାମଣା କରାଯାଇ ପାରିବ ନାହିଁ; କିମ୍ବା କାହାକୁ ସନ୍ତୁଷ୍ଟ ରଖିବା ଲକ୍ଷ୍ୟ ରଖି ଭାରତ କୌଣସି ପ୍ରକାରର ‘ପ୍ରତିରକ୍ଷା ଡିଲ୍‌’ରେ ନିଜକୁ ସାମିଲ କରିବ ନାହିଁ।

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କର ଏପ୍ରକାର ଆଭିମୁଖ୍ୟ ଦେଖି ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ଆଲୋଚନାର ବିଷୟବସ୍ତୁ ବଦଳାଇ ଇରାନ୍‌କୁ ବିଶ୍ୱର ଆତଙ୍କବାଦର ସବୁଠାରୁ ବଡ଼ ପ୍ରୋତ୍ସାହକ ବୋଲି ଅଭିହିତ କରିବା ସହ ଇରାନ୍‌ ପ୍ରସଙ୍ଗରେ ଭାରତରେ ସହାୟତା ଲୋଡ଼ିଥିଲେ।

NDTV

ପରେ ଉଭୟ ନେତାଙ୍କୁ ନେଇ ଆୟୋଜିତ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ କହିଥିଲେ ଯେ ବେଳେବେଳେ ଦୁଇ ଶ୍ରେଷ୍ଠ ବନ୍ଧୁଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥାଏ ଏବଂ ସମୟକ୍ରମେ ତାହା ଦୂର ହୋଇଥାଏ। ଏକ୍ଷେତ୍ରରେ ସୃଷ୍ଟି ହୋଇଥିବା ମତଭେଦକୁ ଦୂର କରିବା ପାଇଁ ଆମେରିକା ସରକାର ସବୁ ସବୁ ସ୍ତରରୁ କଠିନ ପରିଶ୍ରମ କରିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ମିଳିତ ସାମ୍ବାଦିକ ସମ୍ମଳନୀରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଅତୁଟ ରଖିବାକୁ ହେଲେ ଉଭୟଙ୍କୁ ‘ପରିପକ୍ୱତା’ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର